ବାଲେଶ୍ୱରରୁ ଉଦ୍ଧାର ହୋଇଥିବା ୫ଟି ବିରଳ ଓରାଙ୍ଗୁଟାନ୍ ଶିଶୁକୁ ନେଇ ଆନ୍ତର୍ଜାତିକ ସ୍ତରରେ ନୂଆ ମୋଡ଼ ଆସିଛି। ଇଣ୍ଡୋନେସିଆ ସରକାର ଆନୁଷ୍ଠାନିକ ଭାବେ ଭାରତକୁ ଚିଠି ଲେଖି ଏହି ଶିଶୁ ଓରାଙ୍ଗୁଉଟାନ୍ମାନଙ୍କୁ ଫେରାଇବାକୁ ଅନୁରୋଧ କରିଛି। ଜେନେଟିକ୍ ପରୀକ୍ଷାରେ ସେମାନଙ୍କ ଉତ୍ପତ୍ତି ଇଣ୍ଡୋନେସିଆ ବୋଲି ପ୍ରମାଣିତ ହେଲେ, ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ସମସ୍ତ ସହଯୋଗ କରିବାକୁ ଇଣ୍ଡୋନେସିଆ ପ୍ରସ୍ତୁତ ବୋଲି କହିଛି।
ସେପ୍ଟେମ୍ବର ୧୦ ତାରିଖରେ ଇଣ୍ଡୋନେସିଆର ବନ ମନ୍ତ୍ରଣାଳୟ ଭାରତର CITES ମ୍ୟାନେଜମେଣ୍ଟ ଅଥରିଟିକୁ ପଠାଇଥିବା ପତ୍ରରେ ଘଟଣାର ସମ୍ପୂର୍ଣ୍ଣ ବିବରଣୀ, ଉଦ୍ଧାର ହୋଇଥିବା ଶିଶୁମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଓ ଜୈବିକ ନମୁନା ସଂଗ୍ରହ ସମ୍ପର୍କିତ ସୂଚନା ମାଗିଛି। ଉଦ୍ଧାର ହୋଇଥିବା ୫ଟି ଶିଶୁ ମଧ୍ୟରେ ୨ଟି ମାଈ ଓ ୩ଟି ପୁରୁଷ ଓରାଙ୍ଗୁଉଟାନ୍ ରହିଛନ୍ତି। ସେମାନଙ୍କ ବୟସ ପ୍ରାୟ ୬ରୁ ୮ ମାସ ବୋଲି ଜଣାପଡ଼ିଛି।
ଗତ ସେପ୍ଟେମ୍ବର ୮ରେ ବାଲେଶ୍ୱର ଜିଲ୍ଲାରେ ଗ୍ରାମବାସୀମାନେ ଏହି ବିରଳ ପ୍ରାଣୀମାନଙ୍କୁ ଦେଖିବା ପରେ ବନ ବିଭାଗ ସେମାନଙ୍କୁ ଉଦ୍ଧାର କରିଥିଲା। ପ୍ରାଥମିକ ତଦନ୍ତରେ ବନ୍ୟପ୍ରାଣୀ ଚୋରାଚାଲାଣ ବିଫଳ ହେବା ପରେ ଏହି ଶିଶୁମାନଙ୍କୁ ପରିତ୍ୟାଗ କରାଯାଇଥିବା ସନ୍ଦେହ କରାଯାଉଛି।
CITESର ଆପେଣ୍ଡିକ୍ସ-୧ ତାଲିକାରେ ଥିବା ଓରାଙ୍ଗୁଟାନ୍ର ଆନ୍ତର୍ଜାତିକ ବାଣିଜ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ। ସେଥିପାଇଁ ଇଣ୍ଡୋନେସିଆ ଚୋରାଚାଲାଣ ରୁଟ୍, ଭାରତକୁ ପ୍ରବେଶ ପଥ ଏବଂ କୌଣସି CITES ପରମିଟ୍ ମିଳିଛି କି ନାହିଁ, ସେ ସମ୍ପର୍କରେ ମଧ୍ୟ ସୂଚନା ଚାହିଁଛି।
ବର୍ତ୍ତମାନ ଓଡ଼ିଶା ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ ଓ ୱାଇଲ୍ଡଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋ ମିଳିତ ଭାବେ ତଦନ୍ତ ଚଳାଇଥିବା ବେଳେ, ଉଦ୍ଧାର ହୋଇଥିବା ସମସ୍ତ ଓରାଙ୍ଗୁଟାନ୍ ଶିଶୁ ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସୁରକ୍ଷିତ ରଖାଯାଇଛନ୍ତି। ଅନ୍ୟପଟେ, ରାଜ୍ୟ ସରକାର ସେମାନଙ୍କୁ ସ୍ଥାୟୀ ଭାବେ ନନ୍ଦନକାନନରେ ରଖିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣଙ୍କ ଅନୁମତି ମାଗିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି।