ଭୁବନେଶ୍ୱର: ରାଜସ୍ୱ ବିଭାଗର ଜମିଜମା ସେବାକୁ ଅଧିକ ସ୍ୱଚ୍ଛ, ସରଳ ଓ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ‘ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡସ ମଡର୍ନାଇଜେସନ୍ ପ୍ରୋଗ୍ରାମ୍’ (DILRMP)ର ତୃତୀୟ ସଂସ୍କରଣର ଶୁଭାରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ନୂତନ ପର୍ଯ୍ୟାୟର ଉଦ୍ଘାଟନ କରିଛନ୍ତି। ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ରାଜସ୍ୱ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
ଏହି ଅବସରରେ ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ଯେ, DILRMPର ଦ୍ୱିତୀୟ ସଂସ୍କରଣର ମାନଦଣ୍ଡ ଅନୁସାରେ ଓଡ଼ିଶା ଜମି ରେକର୍ଡର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ପ୍ରାୟ ଶତପ୍ରତିଶତ ସଫଳତା ହାସଲ କରିଛି। ରାଜ୍ୟର ମୋଟ ୨ କୋଟି ୨୩ ଲକ୍ଷ ୩୫୯ଟି ଆର୍ଓଆର୍ (RoR) ମଧ୍ୟରୁ ପ୍ରାୟ ୧ କୋଟି ୯୯ ଲକ୍ଷ ୮୬ ହଜାରରୁ ଅଧିକ ଆର୍ଓଆର୍ର କମ୍ପ୍ୟୁଟରୀକରଣ ଶେଷ ହୋଇସାରିଛି।
ସେହିପରି ଜମିର ଡିଜିଟାଲ୍ ମ୍ୟାପିଂ କ୍ଷେତ୍ରରେ ମଧ୍ୟ ରାଜ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଓଡ଼ିଶାର ମୋଟ ୫୧,୮୦୨ଟି ଗାଁ ମଧ୍ୟରୁ ୫୧,୭୪୨ଟି ଗାଁରେ ଡିଜିଟାଲ୍ ନକ୍ସା ପ୍ରସ୍ତୁତ ସରିଛି, ଯାହାକି ପ୍ରାୟ ୯୯.୬ ପ୍ରତିଶତ। ଏଥିସହିତ ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି ଓ ଗଞ୍ଜାମ—ଏହି ୬ଟି ଜିଲ୍ଲାରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସଠିକ୍ ଜମି ନକ୍ସା ପ୍ରସ୍ତୁତ ପାଇଁ ହାଇଟେକ୍ ସର୍ଭେ କାର୍ଯ୍ୟ ଜାରି ରହିଛି।
ଅନ୍ୟପଟେ ରାଜ୍ୟର ୩୨୧ଟି ସବ୍-ରେଜିଷ୍ଟ୍ରାର୍ କାର୍ଯ୍ୟାଳୟ ମଧ୍ୟରୁ ୨୧୩ଟି କାର୍ଯ୍ୟାଳୟ ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକୃତ ହୋଇସାରିଛି। ସମସ୍ତ ତହସିଲରେ ପଞ୍ଜୀକରଣ ସେବା ଯୋଗାଇବା ପାଇଁ ପ୍ରକ୍ରିୟା ଜାରି ରହିଛି, ଯାହା ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ସହରାଞ୍ଚଳରେ ‘ନକ୍ସା’ ଯୋଜନା ଅଧୀନରେ ଡିଜିଟାଲ୍ ମ୍ୟାପ୍ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ‘ସ୍ୱାମିତ୍ୱ’ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ଜମି ଓ ସମ୍ପତ୍ତିର ପଞ୍ଜୀକରଣ ସହ ପ୍ରପର୍ଟି କାର୍ଡ ବଣ୍ଟନ କାର୍ଯ୍ୟ ଚାଲିଛି।
ଏହାଛଡ଼ା ଗୋଥପାଟଣାସ୍ଥିତ ରେଭିନ୍ୟୁ ଅଫିସର୍ସ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ରେ ରାଜସ୍ୱ ଅଧିକାରୀମାନଙ୍କୁ ଆଧୁନିକ ଡିଜିଟାଲ୍ ପ୍ରଯୁକ୍ତିର ପ୍ରଶିକ୍ଷଣ ଦିଆଯାଉଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, DILRMP ୩.୦ରେ ଥିବା କ୍ୟାସ୍ଲେସ୍ ଓ ପେପରଲେସ୍ ସେବା ଓଡ଼ିଶାରେ ପୂର୍ବରୁ ହିଁ ଆରମ୍ଭ ହୋଇସାରିଛି। ଲୋକମାନେ ଯେପରି ଘରେ ବସି ସମସ୍ତ ରାଜସ୍ୱ ସେବା ପାଇପାରିବେ, ସେଥିପାଇଁ ଆବଶ୍ୟକ କେନ୍ଦ୍ରୀୟ ସହାୟତା ନିମନ୍ତେ ଆଗାମୀ ୧୫ ଦିନ ମଧ୍ୟରେ ଏକ ବିସ୍ତୃତ ଚିଠା ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ।