ଭୁବନେଶ୍ୱର : ଓଡ଼ିଶାରେ ଜମି ଜାଲିଆତି ଓ ବେଆଇନ କାରବାର ଉପରେ ଲାଗିବ ରୋକ୍ । ଆଉ ବେଆଇନ ଭାବେ ପୁରୁଣା ରେକର୍ଡ ବଦଳାଇ କି ଗାଏବ କରିପାରିବେନି କାରଣ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ।
ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, ଏଣିକି କେହି ବି ବେଆଇନ ଭାବେ ପୁରୁଣା ରେକର୍ଡ ବଦଳାଇ କିମ୍ବା ଗାଏବ କରି ଜମି ଜାଲିଆତି କରିପାରିବେ ନାହିଁ। ରାଜ୍ୟରେ ୯୯ ପ୍ରତିଶତ ‘ରେକର୍ଡ ଅଫ୍ ରାଇଟସ୍’ ROR) ବା ଜମି ପଟ୍ଟାର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି, ଯାହା ଦ୍ୱାରା ଜମି କାରବାରରେ ସ୍ୱଚ୍ଛତା ଆସିବ ଏବଂ ଜାଲିଆତି ସମ୍ପୂର୍ଣ୍ଣ ବନ୍ଦ ହେବ। ଜମିଜମା ଡିଜିଟାଇଜେସନ ନେଇ ସନ୍ଧ୍ୟାରେ କେନ୍ଦ୍ରକୁ ରିପୋର୍ଟ ଦିଆଯିବ।
ଜମି ଜାଲିଆତି ରୋକିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପ୍ରମୁଖ ପଦକ୍ଷେପଗୁଡ଼ିକ ହେଲା ଭୂଦାନ ଜମି ଜାଲିଆତିର ତଦନ୍ତ । ରାଜ୍ୟରେ ହୋଇଥିବା ଭୂଦାନ ଜମି ଦୁର୍ନୀତିର ସଠିକ୍ ତଦନ୍ତ କରାଯିବ ଏବଂ ଏହି ସମସ୍ତ ଜମିର ରେକର୍ଡକୁ କମ୍ପ୍ୟୁଟରାଇଜ୍ କରାଯାଇ ଭୂଲ୍ ସିଷ୍ଟମ ସହ ଲିଙ୍କ୍ କରାଯିବ। କେବଳ ପ୍ରକୃତ ବାସହୀନ ବ୍ୟକ୍ତିଙ୍କ ନାମରେ ହିଁ ଏହି ଜମିର ମ୍ୟୁଟେସନ୍ କରାଯିବ।
ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିର ସୁରକ୍ଷା ପାଇଁ କ୍ୟାବିନେଟ୍ ନୂଆ ନିୟମକୁ ମଞ୍ଜୁରୀ ଦେଇଛି ବୋଲି ମନ୍ତ୍ରୀ କହିଛନ୍ତି । GIS-ଆଧାରିତ ଡିଜିଟାଲ୍ ମ୍ୟାପିଂ ଏବଂ ପବ୍ଲିକ ଡିଜିଟାଲ୍ ଡାଶବୋର୍ଡ ଜରିଆରେ ଏସଜେଟି(SJT) ଜମିର ତଦାରଖ କରାଯିବ, ଯାହାଦ୍ୱାରା ଜମି ଜବରଦଖଲ ଓ ଜାଲିଆତି ଚିହ୍ନଟ ହୋଇପାରିବ।
ଆହୁରି ମଧ୍ଯ ରେଜିଷ୍ଟ୍ରେସନ ଅଫିସ ଉପରେ କଡ଼ା ନଜର ରହିବ କାରଣ ନିକଟରେ ନୂଆପଡ଼ା ଜିଲ୍ଲାରେ ଜମି ଜାଲିଆତି ମାମଲା ସାମ୍ନାକୁ ଆସିବା ପରେ ଦୋଷୀ ତହସିଲଦାରଙ୍କୁ ନିଲମ୍ବିତ କରାଯାଇଛି। ଏହାସହ ସମସ୍ତ ଜିଲ୍ଲାପାଳଙ୍କୁ ରଜିଷ୍ଟ୍ରେସନ ଅଫିସଗୁଡ଼ିକରେ ହଠାତ୍ ଚଢ଼ାଉ କରି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦିନରେ ଜମି ପଟ୍ଟାରେ QR କୋଡ୍ ବ୍ୟବସ୍ଥା ଉପଲବ୍ଧ କରାଯିବ, ଯାହା ଦ୍ୱାରା ଜମିର ପ୍ରକୃତ ମାଲିକଙ୍କ ବିଷୟରେ ତୁରନ୍ତ ସୂଚନା ମିଳିପାରିବ ଏବଂ ଜାଲ୍ କାଗଜପତ୍ର ପ୍ରସ୍ତୁତ କରିବା ସମ୍ଭବ ହେବନାହିଁ ବୋଲି ମନ୍ତ୍ରୀ କହିଛନ୍ତି।