ପାରାଦୀପ: ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପାରାଦୀପ ବନ୍ଦରରେ ଥିବା ‘MT UNITY’ (IMO: 9388792) ନାମକ ବାଣିଜ୍ୟିକ ଜାହାଜକୁ ଆରେଷ୍ଟ କରାଯିବ। ବ୍ୟାବସାୟିକ ଓ ସାମୁଦ୍ରିକ ବିବାଦକୁ ନେଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି।
ଇଣ୍ଟରଓସିନ ସିପିଙ୍ଗ୍ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଦାୟର ସାମୁଦ୍ରିକ ବିବାଦ ମାମଲାରେ ଜାହାଜ ବିରୋଧରେ ୪୨ ଲକ୍ଷ ୮୩ ହଜାର ୨୭୧ ଟଙ୍କା ଦାବି କରାଯାଇଛି। ଆବେଦନକାରୀ ସଂସ୍ଥାର ଅଭିଯୋଗ ଥିଲା ଯେ, ଜାହାଜଟି ଖୁବ୍ ଶୀଘ୍ର ପାରାଦୀପ ବନ୍ଦର ଛାଡ଼ି ଚାଲିଯାଇପାରେ। ଯଦି ଏହା ବନ୍ଦର ଛାଡ଼ିଦିଏ, ତେବେ ମାମଲାର ପ୍ରଭାବ ନଷ୍ଟ ହୋଇଯିବ।
ଜଷ୍ଟିସ ଭି. ନରସିଂହଙ୍କ ଖଣ୍ଡପୀଠ ମୂଳ ଆବେଦନ ସହ ମଧ୍ୟବର୍ତ୍ତୀକାଳୀନ ଦୁଇଟି ଆବେଦନର ଶୁଣାଣି କରି ଜାହାଜକୁ ପାରାଦୀପ ବନ୍ଦରରେ ଆରେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିସହ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଓ ଜାହାଜ ପକ୍ଷଙ୍କୁ ନୋଟିସ ଜାରି କରାଯାଇଛି।
ହାଇକୋର୍ଟ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପର୍ଯ୍ୟନ୍ତ MT UNITY ସମ୍ପର୍କିତ କୌଣସି ଦେୟ ରାଶି ଆବେଦନକାରୀ ସଂସ୍ଥାର ଜମା ଅର୍ଥରୁ କଟାଯିବ ନାହିଁ। ଏହାକୁ ନେଇ ପାରାଦୀପ ବନ୍ଦର ଟ୍ରଷ୍ଟକୁ ମଧ୍ୟ ଅନ୍ତରୀଣ ନିର୍ଦ୍ଦେଶ ଦିଆଯାଇଛି।