ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆବୁଧାବିରେ ନିବେଶକଙ୍କ ସହିତ ବୈଠକ କରିବା ପରେ ଦୁବାଇ ଗସ୍ତ କରିଛନ୍ତି । ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଛି । ଆଜିଠାରୁ ଦୁବାଇରେ ମୁଖ୍ୟମନ୍ତ୍ରୀ ପୁଞ୍ଜିପତିଙ୍କ ସହିତ ଉଚ୍ଚସ୍ତରୀୟ ଆଲୋଚନା କରିବେ ।
ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତର ଦ୍ୱିତୀୟ ଦିନରେ ୟୁଏଇର ଅର୍ଥନୀତି ତଥା ପର୍ଯ୍ୟଟନ ମନ୍ତ୍ରୀ ଏବଂ କାଉନ୍ସିଲ ଅଫ୍ ଇଣ୍ଟରନ୍ୟାସନାଲ ଇନ୍ଭେଷ୍ଟମେଣ୍ଟସ’ର ଅଧ୍ୟକ୍ଷ ଅବଦୁଲ୍ଲା ବିନ୍ ତକ୍ ଅଲ୍ ମାରିଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାସହିତ ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ କାଉନସିଲ, ଏମିରେଟ୍ସ ଗ୍ଲୋବାଲ ଆଲୁମିନିଅମ୍ର ପ୍ରମୁଖ ନେତୃତ୍ୱମାନଙ୍କ ସହିତ ଆଲୋଚନା କରିବେ । ମିଡିଲ ଇଷ୍ଟ ରିସାଇକ୍ଲିଙ୍ଗ୍ ଆସୋସିଏସନ୍ ସହିତ ରାଉଣ୍ଡ ଟେବୁଲ ବୈଠକ, ଓଡ଼ିଶା ବିଜନେସ ଡେଲିଗେସନ୍ ସହିତ ଆଲୋଚନା ଆଦି କାର୍ଯ୍ୟକ୍ରମ ମଧ୍ୟ ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ, ଗୃହ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ରହିଛନ୍ତି।
ଉଲ୍ଲେଖ ଯୋଗ୍ୟ, ଗତକାଲି ଆଇଏଚ୍ସି ଗ୍ରୁପ୍ ଓ ଆଦାନୀ ଗ୍ରୁପ୍ ମଧ୍ୟରେ ୧୪ଟି ପ୍ରକଳ୍ପ ପାଇଁ ଚୁକ୍ତି ସ୍ଵାକ୍ଷରିତ ହୋଇଛି । ଏହି ପ୍ରକଳ୍ପଗୁଡ଼ିକରେ ୨ଲକ୍ଷ ୧୦ ହଜାର ୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏହା ଦ୍ୱାରା ୮.୭ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି।