ଭୁବନେଶ୍ୱର: କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସ୍ୱଚ୍ଛ ବାୟୁ ସର୍ବେକ୍ଷଣ -୨୦୨୬ରେ ଓଡ଼ିଶାର ଇସ୍ପାତ ନଗରୀ ରାଉରକେଲା ସହର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ସ୍ୱଚ୍ଛ ବାୟୁ ସର୍ଭେର ଦ୍ୱିତୀୟ ବର୍ଗ (୩ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା)ରେ ରାଉରକେଲା ୧୯୮.୫ ଅଙ୍କ ସହିତ ସବୁଠାରୁ ସ୍ୱଚ୍ଛ ସହରର ସ୍ଥାନ ନେଇଛି ।
କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫରୁ ପ୍ରକାଶିତ ସ୍ଵଚ୍ଛ ବାୟୁ ସର୍ବେକ୍ଷଣ-୨୦୨୬ରେ ୧୩୦ଟି ସହରକୁ ପଛରେ ପକାଇ ରାଉରକେଲା ହାସଲ କରିଛି ୩ଟି ପୁରସ୍କାର। ୩-୧୦ ଲକ୍ଷ ଜନସଂଖ୍ୟା ବର୍ଗରେ ରାଉରକେଲା ଦେଶରେ ପ୍ରଥମ, ୧୩ ନମ୍ବର ୱାର୍ଡ ଜାତୀୟ ସ୍ତରରେ ପ୍ରଥମ ଏବଂ ୧୪ ନମ୍ବର ୱାର୍ଡ ରାଜ୍ୟସ୍ତରରେ ତୃତୀୟ ହୋଇଛି। ସେହିପରି ସ୍ମାର୍ଟ ଭୁବନେଶ୍ୱର ପଞ୍ଚମ ସ୍ଥାନ ଗ୍ରହଣ କରିଛି । ତାରକସୀ ସହର କଟକ ଅତି ନୈରାଶ୍ୟ ଜନକ ପ୍ରଦର୍ଶନ କରିଛି । କଟକ ସହର ୨୧ତମ ସ୍ଥାନରେ ରହିଛି । ରାଉରକେଲା ତଳକୁ ପିରୋଜାବାଦ (୧୯୫) ଦ୍ୱିତୀୟ, ଗୁଣ୍ଟୁର (୧୯୫) ତୃତୀୟ, ଅମରାବତୀ (୧୯୪) ଚତୁର୍ଥ ଓ ଭୁବନେଶ୍ୱର ସହର (୧୯୩.୫) ଅଙ୍କ ସହିତ ପଞ୍ଚମ ସ୍ଥାନରେ ରହିଛି ।
ନୂଆଦିଲ୍ଲୀରେ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ପୁରସ୍କାର ବିତ୍ତରଣ ଉତ୍ସବରେ ରାଉରକେଲା ସହରକୁ ସମ୍ମାନିତ କରାଯାଇଛି । ସ୍ଵଚ୍ଛ ବାୟୁ ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଓ ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ରାଉରକେଲା ମହାନଗର ନିଗମକୁ ୭୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । କଠିନ ବର୍ଜ୍ୟବସ୍ତୁ ପରିଚାଳନା, ମେକାନିକାଲ ସ୍ବିପିଂ,ଏୟାର ପ୍ୟୁରିଫାୟାର ସ୍ଥାପନ ଭଳି ଅଭିନବ ପ୍ରଚେଷ୍ଟା ଯୋଗୁଁ ଏହି ସଫଳତା ମିଳିଛି ।