ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ପ୍ରାୟ ଦୁଇ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ଭିତର କାଠ ନିକଟରେ ଜଣେ ଭକ୍ତ ଅସୁସ୍ଥ ହୋଇ ବାନ୍ତି କରିବା ପରେ ମନ୍ଦିର ପରମ୍ପରା ଅନୁଯାୟୀ ବଡ଼ ମହାସ୍ନାନ ନୀତି ସମ୍ପନ୍ନ କରାଯାଇଥିଲା।
ସୂଚନା ଅନୁସାରେ, ମଧ୍ୟାହ୍ନ ଧୂପ ନୀତି ପରେ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ଜଣେ ଭକ୍ତ ହଠାତ୍ ଅସୁସ୍ଥ ହୋଇ ଭିତର କାଠ ନିକଟରେ ବାନ୍ତି କରିଥିଲେ। ଏହାପରେ ତୁରନ୍ତ ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା।
ଶ୍ରୀମନ୍ଦିରର ପ୍ରଚଳିତ ନୀତି ଓ ଶାସ୍ତ୍ର ଅନୁଯାୟୀ, ଗର୍ଭଗୃହ ପରିସରରେ ଏଭଳି ଘଟଣା ଘଟିଲେ ଶୁଦ୍ଧିକରଣ ନୀତି କରିବା ଆବଶ୍ୟକ। ମନ୍ଦିର ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ପରିସରକୁ ପାଣି ଓ ଚୂନରେ ଧୋଇ ଶୁଦ୍ଧ କରାଯାଇଥିଲା। ପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ପୁଣିଥରେ ଭକ୍ତମାନଙ୍କ ପାଇଁ ଦର୍ଶନ ଆରମ୍ଭ କରାଯାଇଥିଲା। ଏହି ଘଟଣା ଯୋଗୁଁ କିଛି ସମୟ ପର୍ଯ୍ୟନ୍ତ ମନ୍ଦିରରେ ଦର୍ଶନ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ବେଳେ ପରେ ସ୍ୱାଭାବିକ ଭାବେ ଦର୍ଶନ ଚାଲିଥିଲା।