ଭୁବନେଶ୍ୱର: ଖଣି ଓ ଖଣିଜ ସମ୍ପଦର ବିକାଶ ଏବଂ ନିୟନ୍ତ୍ରଣ ସଂଶୋଧିତ ଆଇନ ୨୦୨୬ (ଏମଏମଡିଆର)କୁ ନେଇ ଆଜି ବିଜୁ ଜନତା ଦଳ ରାଜ୍ୟ ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ରଣ ହୁଂକାର ଦେଇଛି । ସଂଶୋଧିତ ଏମଏମଡିଆର ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି ବିଜେଡ଼ି । ସେପଟେ ବିଜେଡ଼ିର ଏହି ଆଚରଣକୁ ବିଜେପି ବିଧାୟକ ବାବୁ ସିଂ ହାସ୍ୟାସ୍ପଦ ବୋଲି କହିଛନ୍ତି । ଲୋକଙ୍କ ଭିତରେ ଭ୍ରମ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ବାବୁ ସିଂ ।
ଏମଏମଡିଆର ଆଇନ ପ୍ରତ୍ୟାହାର ଦାବିରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ଡାକିବା ପାଇଁ ଦାବି କରିବା ସହ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଛି ବିଜୁ ଜନତା ଦଳ। ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପ୍ରସନ୍ନ ଆଚାର୍ଯ୍ୟ, ଧ୍ରୁବ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପସିତା ସାହୁ, ଯୁବ ଦଳର ସଭାପତି ଚିନ୍ମୟ ସାହୁ ପ୍ରମୁଖ ରାଜ୍ୟପାଳଙ୍କୁ ଭେଟିଛନ୍ତି ।
ଅନ୍ୟପକ୍ଷେ ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ଯେ ବିଜୁ ଜନତା ଦଳ ଆଇନକୁ ବିରୋଧ କରିବା ହାସ୍ୟାସ୍ପଦ କଥା । ରାଜ୍ୟ କେଉଁ କେଉଁ ବାଟରେ କ୍ଷତି ସହିବ ତାହାକୁ ନେଇ ବିତର୍କକୁ ଆସନ୍ତୁ । ଯେଉଁମାନେ ଅତୀତରେ ଏ ବିଲକୁ ସମର୍ଥନ କରିଥିଲେ, ସେମାନେ ବିରୋଧ କରୁଛନ୍ତି । ୨୦୦୪ ମସିହାରେ ବିଧାନସଭାରେ ଏକ ଆଇନ ପ୍ରଣୟନ କଲେ, ଏହା ଉପରେ ସ୍ପଷ୍ଟତା ଆଣିବା ପାଇଁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । ୨୦୦୪ ମସିହାରେ ଏହାକୁ ସମର୍ଥନ କରିଥିବା ଲୋକମାନେ ଏବେ କାହିଁକି ପ୍ରଶ୍ନ ଉଠାଉଛନ୍ତି । ମାମଲା ସୁପ୍ରିମକୋର୍ଟରେ ପହଁଚିଥିବାବେଳେ ବିଜୁ ଜନତା ଦଳ ପଛ ଘୁଞ୍ଚା ଦେଇଥିଲା । ୨୦୦୪ ରୁ ୨୦୧୧ ମଧ୍ୟରେ ସୁପ୍ରିମକୋର୍ଟକୁ ମାମଲା ଯିବା ପରେ ପର୍ଯ୍ୟାପ୍ତ ସମୟ ଥିବା ସତ୍ତ୍ୱେ ବିଜେଡ଼ି ଓକିଲ ନିଯୁକ୍ତ କରି ମାମଲାକୁ କେବଳ ଘୁଞ୍ଚାଇଲେ । ଏହି ସମୟରେ କେବଳ ବିଜୁ ଜନତା ଦଳର ଚାନ୍ଦା ଆଦାୟ ହେଲା । ୨୦୦୦ ରୁ ୨୦୨୪ ପର୍ଯ୍ୟନ୍ତ ରାଜ୍ୟରେ ଗୋଟିଏ ସରକାର ଥିଲା । ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଖଣି ରୟାଲିଟି ଓ ଖଣି ଟିକସ ବୃଦ୍ଧି ପାଇଛି । ରାଜ୍ୟ ୧୦୦୦ କୋଟି ଟଙ୍କା ପାଇବାକୁ ସ୍ୱପ୍ନ ଦେଖୁଥିବାବେଳେ ସେତେବେଳେ ୫୦,୦୦୦ କୋଟି ଟଙ୍କା ରାଜ୍ୟ ପାଇଲା ।
ବାବୁ ସିଂ ଦମ୍ଭର ସହ କହିଛନ୍ତି ଯେ ବିଧାନସଭାରେ ସ୍ପଷ୍ଟ ଭାବରେ ଆଲୋଚନା ହେବା ଦରକାର, ରାଜ୍ୟବାସୀ ମଧ୍ୟ ଜାଣିବା ଦରକାର । ବିଜେଡ଼ି କାହାକୁ କେତେ ଟଙ୍କା ରାଜସ୍ୱ ଛାଡ଼ କରିଛି ତାହାର ତଥ୍ୟ ଆସିବା ଦରକାର । ଓଡ଼ିଶା ଯେତିକି ଭାଗ ପାଇବା କଥା ସେତିକି ଭାଗ ପାଇବ । ଓଡ଼ିଶାର ଭାଗ ଗୋଟିଏ ପ୍ରତିଶତ ମଧ୍ୟ କମିବ ନାହିଁ । ଲୋକଙ୍କୁ ଭୂୟାଁ ବୁଲାଇ ଓଡ଼ିଶାର ଅଧିକାର ଓ ଖଣି ରାଜସ୍ୱକୁ ନେଇଗଲେ କହି ଲୋକଙ୍କ ମନରେ ଭୟ ସଂଚାର କରାଯାଉଛି । ‘କେନ୍ଦ୍ର ସବୁ ନେଇଗଲା’ ବୋଲି ଏକ ଭ୍ରମ ସୃଷ୍ଟି କରି ଲୋକଙ୍କ ମଧ୍ୟରେ ଭିନ୍ନ ବାତାବରଣ ତିଆରି କରାଯାଉଛି । ତେଣୁ ବିଧାନସଭାରେ ବିତର୍କକୁ ଆସିବାକୁ ଆହ୍ୱାନ କରିଛନ୍ତି ବାବୁ ସିଂ ।