କୋରାପୁଟ : କୋଟିଆ ଅଞ୍ଚଳର ସାମଗ୍ରିକ ବିକାଶ ଏବଂ ସୀମା ବିବାଦ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ୧୬ ଜଣିଆ ଉଚ୍ଚସ୍ତରୀୟ କୋଟିଆ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆସନ୍ତାକାଲି (ମଙ୍ଗଳବାର) ଅନୁଷ୍ଠିତ ହେବାକୁ ଯାଉଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ବସିବ।
ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଅଞ୍ଚଳର କିଛି ଗାଁରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ପରେ ଓଡ଼ିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ହେବାକୁ ଥିବା ବୈଠକରେ କିଛି ପ୍ରମୁଖ ବିଷୟ ଉପରେ ଚର୍ଚ୍ଚା କରାଯିବ।
କୋଟିଆରେ ବର୍ତ୍ତମାନ ସୁଦ୍ଧା ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ଏଥିରେ ବିସ୍ତୃତ ଆଲୋଚନା ହେବ। କୋଟିଆରେ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ସୁପ୍ରିମକୋର୍ଟରେ ଓଡ଼ିଶା ପକ୍ଷରୁ ଦାୟର କରାଯାଇଥିବା ଅବମାନନା ମାମଲା ର ଆଗାମୀ ରଣନୀତି ଉପରେ ଆଲୋଚନା କରାଯାଇପାରେ। ସୀମାନ୍ତ ଅଞ୍ଚଳରେ ରାଜ୍ଯର ଶାସନ ଓ ପ୍ରଶାସନିକ ଉପସ୍ଥିତିକୁ କିପରି ଅଧିକ ସୁଦୃଢ଼ କରାଯାଇପାରିବ ଏବଂ ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର କରାଯିବ, ସେନେଇ କମିଟି ନିଷ୍ପତ୍ତି ନେବ।
କୋଟିଆ ବିବାଦକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଏହି କମିଟି ବୈଠକର ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ରହିଛି ।