ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ବଢ଼ିଲା ଚିନ୍ତା। ରାଜଧାନୀ ଭୁବନେଶ୍ୱରରେ ବାତ୍ୟା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ (BMC)। ସହରରେ ଜଳବନ୍ଦୀ, ଗଛ ଉପୁଡ଼ିବା ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସ୍ଥାପନ ସହ ରାପିଡ୍ ଆକ୍ସନ ଟିମ୍ (RAT)କୁ ପ୍ରସ୍ତୁତ ରଖାଯିବ। ସୋମବାର ଏନେଇ ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ।
ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ପୂର୍ବରୁ BMC କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ବେଳେ ସୋମବାର କର୍ପୋରେଟରମାନଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି। ନିଜ ନିଜ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଓ ଅନ୍ୟାନ୍ୟ ଅସୁବିଧା ଉପରେ ନଜର ରଖିବା ସହ ତ୍ୱରିତ ପଦକ୍ଷେପ ନେବାକୁ କର୍ପୋରେଟରମାନଙ୍କୁ କୁହାଯାଇଛି।
ମେୟର କହିଛନ୍ତି, ବାତ୍ୟା ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କଲେ ମଧ୍ୟ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ତେଣୁ ସମ୍ଭାବ୍ୟ ଜଳବନ୍ଦୀ ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯିବ। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ସରକାରଙ୍କ ଲକ୍ଷ୍ୟ ଶୂନ୍ୟ ମୃତାହତ ଥିବା ବେଳେ BMC ମଧ୍ୟ ଏହି ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ କରିବ।
ଅନ୍ୟପଟେ ଜଳବନ୍ଦୀ ଅଞ୍ଚଳରେ ପାଣି ନିଷ୍କାସନ ପାଇଁ ପମ୍ପସେଟ୍ ବ୍ୟବସ୍ଥା କରାଯାଉଛି। ରାସ୍ତାରେ ଗଛ ଉପୁଡ଼ି ପଡ଼ିଲେ ତୁରନ୍ତ ହଟାଇବା ପାଇଁ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରଖାଯାଇଛି।
ମା' ଗଜଲକ୍ଷ୍ମୀ ପୂଜା ପାଇଁ ଲାଗିଥିବା ବଡ଼ ହୋର୍ଡିଂ, ହାଇମାଷ୍ଟ ଲାଇଟ୍ ଓ ଅସ୍ଥାୟୀ ନିର୍ମାଣ ଯେପରି ବିପଦ ସୃଷ୍ଟି ନକରେ, ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ଆବଶ୍ୟକ ସ୍ଥଳେ ପୂଜା ତୋରଣ ଓ ଗେଟ୍ ଅସ୍ଥାୟୀ ଭାବେ ହଟାଇବା ସହ ହାଇମାଷ୍ଟ ଲାଇଟ୍ ତଳକୁ ଖସାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି BMCର ଡ୍ରେନେଜ୍ ବିଭାଗ ଓ ରାପିଡ୍ ଆକ୍ସନ ଟିମ୍ ୨୪ ଘଣ୍ଟା ସଜାଗ ରହିବେ। ବର୍ଷା କିମ୍ବା ବାତ୍ୟା ଯୋଗୁଁ ସହରରେ କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ତୁରନ୍ତ ସହାୟତା ପହଞ୍ଚାଇବା ପାଇଁ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ ବୋଲି ମେୟର ସୂଚନା ଦେଇଛନ୍ତି।