ବାରିପଦା: ଘର ଆଗରେ ଖେଳୁଥିଲା କୁନି ଝିଅ। ହଠାତ୍ କେଉଁଆଡ଼େ ଉଭାନ ହୋଇଗଲା। ପରିବାର ଲୋକଙ୍କ ଚିନ୍ତା ବଢ଼ିଲା, ଥାନାରେ ହେଲା ଅଭିଯୋଗ। ଶେଷରେ ନିଖୋଜ ହେବାର ଦିନକ ପରେ ଘର ପଛପଟୁ ଉଦ୍ଧାର ହେଲା ସାଢ଼େ ୪ ବର୍ଷର ଶିଶୁକନ୍ୟା। ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁସାରେ, ବାରିପଦା ପୌରପାଳିକାର ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ଯମୁନାଦେଇପୁରର ଚନ୍ଦ୍ରମଣି ସୋରେନ ଓ ସୁନୀଲ ସୋରେନଙ୍କ ଝିଅ ମାହି ମାୟରା ସୋରେନ ଓରଫ୍ ସିଦ୍ଧି ରବିବାର ନିଖୋଜ ହୋଇଯାଇଥିଲେ। ଟ୍ୟୁସନରୁ ଫେରିବା ପରେ ସେ ଘର ସାମ୍ନାରେ ଥିବା ବାଲିଗଦା ନିକଟରେ ଖେଳୁଥିଲେ। ଏହି ସମୟରେ ମା’ ରୋଷେଇ କରିବାକୁ ଘର ଭିତରକୁ ଯାଇଥିଲେ। ପ୍ରାୟ ସକାଳ ୧୧ଟାରେ ଫେରି ଝିଅକୁ ନପାଇ ଖୋଜାଖୋଜି ଆରମ୍ଭ କରିଥିଲେ।
ଆଖପାଖ ଅଞ୍ଚଳରେ ଖୋଜିବା ପରେ ମଧ୍ୟ ଝିଅର କୌଣସି ସନ୍ଧାନ ନମିଳିବାରୁ ପରିବାର ପକ୍ଷରୁ ଭଞ୍ଜପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପାଇବା ପରେ ପୋଲିସ ତିନୋଟି ଟିମ୍ ଗଠନ କରି ଶିଶୁକନ୍ୟାର ସନ୍ଧାନ ଆରମ୍ଭ କରିଥିଲା।
ସୋମବାର ସକାଳେ ଜଣେ ଅଜଣା ଯୁବକ ଶିଶୁଟିକୁ ଘର ପଛପଟେ ଛାଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଧରିଥିଲେ। ଏହାପରେ ଶିଶୁର ମା’ଙ୍କୁ ଖବର ଦେବା ସହ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଅଟକ ରଖିଛି।
ଉଦ୍ଧାର ହୋଇଥିବା ଶିଶୁକନ୍ୟା ସୁସ୍ଥ ଥିବା ଜଣାପଡ଼ିଛି ଏବଂ ତାକୁ ପରିବାର ଲୋକଙ୍କ ନିକଟରେ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ଅଟକ ଯୁବକଙ୍କ ପରିଚୟ, ଶିଶୁକୁ ନେବା ପଛରେ ଉଦ୍ଦେଶ୍ୟ ଏବଂ ତାକୁ କେଉଁଠି ରଖାଯାଇଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଝିଅକୁ ସୁରକ୍ଷିତ ଫେରି ପାଇବା ପରେ ପରିବାର ପକ୍ଷରୁ ପୋଲିସ, ସ୍ଥାନୀୟ ଲୋକ ଓ ଗଣମାଧ୍ୟମକୁ କୃତଜ୍ଞତା ଜଣାଯାଇଛି।