ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ କଂଗ୍ରେସ ଶିବିରରେ ତତ୍ପରତା ପ୍ରକାଶ ପାଇଛି। ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହ ଏକଜୁଟ୍ ହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ରାଜ୍ୟ କଂଗ୍ରେସ ନେତାମାନେ ଶପଥ ନେଇଛନ୍ତି। ରବିବାର ମଧ୍ୟାହ୍ନରେ ଅନୁଷ୍ଠିତ ପ୍ରଦେଶ କଂଗ୍ରେସ କମିଟି (ପିସିସି) ର ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଏଆଇସିସିର ରାଜ୍ୟ ପ୍ରଭାରୀ ଲାଲଜୀ ଦେଶାଇ ଏହି ବୈଠକରେ ଅଧ୍ୟକ୍ଷତା କରି କହିଥିଲେ ଯେ, ବିଜେପିର ଡବଲ-ଇଞ୍ଜିନ୍ ସରକାର ପ୍ରତି ଜନସାଧାରଣଙ୍କ ଆସ୍ଥା ହ୍ରାସ ପାଉଛି। ଅପରପକ୍ଷରେ ରାହୁଲ ଗାନ୍ଧୀଙ୍କ ବୃଦ୍ଧିପାଉଥିବା ଜନପ୍ରିୟତା ଓ କର୍ମୀଙ୍କ ଉତ୍ସାହ ବଳରେ କଂଗ୍ରେସ ଆସନ୍ତା ନିର୍ବାଚନରେ ବଡ଼ ସଫଳତା ପାଇବ। ଗୁଜରାଟ ତୁଳନାରେ ଓଡ଼ିଶାରେ କଂଗ୍ରେସ କର୍ମୀଙ୍କ ଜନସମାବେଶ କରିବାର ସାମର୍ଥ୍ୟ ଅଧିକ ରହିଛି, ତେଣୁ ସଂଗଠିତ ହୋଇ କାର୍ଯ୍ୟ କଲେ ଦଳକୁ କେହି ରୋକିପାରିବେ ନାହିଁ। ଏଥିସହିତ ପିସିସି ସଭାପତି ଭକ୍ତ ଚରଣ ଦାସ ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ୍ କରିବା ସହ ବରିଷ୍ଠ ନେତାମାନଙ୍କୁ ନିଜ ନିଜ ଜିଲ୍ଲାର ଦାୟିତ୍ୱ ନେବାକୁ ଆହ୍ୱାନ କରିଛନ୍ତି।
ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ପଞ୍ଚାୟତ ନିର୍ବାଚନରେ ଓବିସି (OBC) ସଂରକ୍ଷଣ ଦାବି କରିବା ପାଇଁ ଦଳ ନିଷ୍ପତ୍ତି ନେଇଛି। ଏହାସହ MMDR (ଖଣି ଓ ଖଣିଜ ଆଇନ) ଏବଂ SIR ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଗାଁ ଗାଁକୁ ଆଇନଜୀବୀମାନଙ୍କୁ ପଠାଯିବ ବୋଲି ବରିଷ୍ଠ ନେତା ନରସିଂହ ମିଶ୍ର ପ୍ରସ୍ତାବ ଦେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ ସଂଶୋଧିତ MMDR ଆଇନକୁ ଆଦିବାସୀ ସ୍ୱାର୍ଥବିରୋଧୀ ବୋଲି ଦର୍ଶାଇଥିଲେ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଅଭିଯୋଗ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାବାସୀଙ୍କ ପାଇଁ ନୁହେଁ, ବରଂ ପୁଞ୍ଜିପତି ବନ୍ଧୁଙ୍କ ପାଇଁ ଡାଟା ସେଣ୍ଟର ଆଣୁଛନ୍ତି, ଯାହାଫଳରେ ରାଜ୍ୟରେ ଜଳ ଓ ବିଦ୍ୟୁତ ସଂକଟ ଦେଖାଦେବ। ଅନ୍ୟପଟେ ନଭେମ୍ବର ୧ରେ ଦିଲ୍ଲୀରେ ହେବାକୁ ଥିବା ସମାବେଶରେ ଓଡ଼ିଶାରୁ ହଜାର ହଜାର କଂଗ୍ରେସ କର୍ମୀ ଯୋଗଦେବା ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଛି। ଏହାସହ ଦଳୀୟ ପତ୍ରିକା 'କଂଗ୍ରେସ ବାର୍ତ୍ତା'ର ପୁନଃପ୍ରକାଶନ ପାଇଁ ପ୍ରସାଦ ହରିଚନ୍ଦନ ଓ ପଞ୍ଚାନନ କାନୁନଗୋ ମତ ରଖିଛନ୍ତି।
ଏହି ବୈଠକରେ ରାଜ୍ୟ ସହ-ପ୍ରଭାରୀ ଜେ.ଟି. କୁସୁମ କୁମାର, ମୟୂରା ଜୟକୁମାର, ପିସିସି ଉପସଭାପତି ସନ୍ତୋଷ ସିଂହ ସାଲୁଜା, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ, ନଗେନ୍ଦ୍ରନାଥ ପ୍ରଧାନ, ଅନନ୍ତ ସେଠୀ, ଡ. ରାମଚନ୍ଦ୍ର ଖୁଣ୍ଟିଆ, ସୁର ରାଉତରାୟ, ଶରତ ରାଉତ, ସସ୍ମିତା ବେହେରା, ଶିବାନନ୍ଦ ରାୟ, ସେବାଦଳ ମୁଖ୍ୟ ଶୁଭେନ୍ଦୁ ମହାନ୍ତି, ଛାତ୍ର କଂଗ୍ରେସ ସଭାପତି ବିଭୂତି ଭୂଷଣ ମହାପାତ୍ର, ସିଦ୍ଧାର୍ଥ ଦାଶ ଓ ତ୍ରିନାଥ ବେହେରାଙ୍କ ସମେତ ଅନେକ ପ୍ରମୁଖ ନେତା ଉପସ୍ଥିତ ଥିଲେ।