ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଧିରେ ଧିରେ ଗଭୀର ଅବପାତରେ ପରିଣତ ହେଉଛି । ଏହା ଆସନ୍ତାକାଲି ବାତ୍ୟାର ରୂପ ନେବ । ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ପ୍ରଦେଶ ଉପକୂଳରେ ସ୍ଥଳ ଭାଗ ଛୁଇଁବ । ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଓ ମାଲକାନଗିରିରେ ପଡ଼ିବ । ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ବର୍ଗ-୧ରେ ରଖାଯାଇଛି ଏବଂ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ବର୍ଗ-୨ରେ ରଖାଯାଇଛି । ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବାତ୍ୟା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ମନ୍ତ୍ରୀଙ୍କ ସଦ୍ୟତମ ସୂଚନା ଆଧାରରେ, ଅବପାତ ଧିରେ ଧିରେ ଗଭୀର ଅବପାତରେ ରୂପାନ୍ତରିତ ହେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଉତ୍ତର-ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଶ୍ରୀବିଜୟପୁରମ୍, ଆଣ୍ଡାମାନଠାରୁ ୫୫୦ କିଲୋମିଟର୍ ଏବଂ ଆନ୍ଧ୍ରର ମଚ୍ଛଲିପଟନମ୍ ଠାରୁ ୧୦୨୦ କିଲୋମିଟର ଦୂରରେ ବାତ୍ୟାର କେନ୍ଦ୍ର ସ୍ଥଳ ରହିଛି । ଆସନ୍ତାକାଲି ଏହା ଭୀଷଣ ବାତ୍ୟାର ରୂପ ନେବ ଏବଂ ୨୭ ତାରିଖ ସକାଳୁ ବାତ୍ୟା ଶକ୍ତିଶାଳୀ ହେବ । ୨୮ ତାରିଖ ସକାଳେ ବାପତଲା ଏବଂ ବିଶାଖାପଟନମ ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିବ ।
ବାତ୍ୟା ଆନ୍ଧ୍ର ଉପକୂଳରେ ସ୍ଥଳ ଭାଗ ଛୁଇଁବା ପରେ ଓଡ଼ିଶାକୁ ପ୍ରବେଶ କରିବ । ଫଳରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଏହାପରେ ପଶ୍ଚିମ ଓଡ଼ିଶାକୁ ପ୍ରବେଶ କରି ଛତିଶଗଡ଼ ଅଭିମୁଖେ ଯିବ । ପୁଣି ଥରେ ଛତିଶଗଡ଼ରୁ ଦିଗ ବଦଳାଇ ଝାଡ଼ଖଣ୍ଡରେ ପ୍ରବେଶ କରିବ । ଛତିଶଗଡ଼କୁ ଯିବା ବେଳେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଛତିଶଗଡ଼ରେ ବର୍ଷା ହେଲେ ପାଣି ମହାନଦୀକୁ ଆସିବ । ନରାଜ ତେଣୁ ପାଣି ରିଲିଜ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଝାଡ଼ଖଣ୍ଡରେ ବର୍ଷା ହେଲେ ମୟୂରଭଞ୍ଜ, ବାଲେଶ୍ବର ପ୍ରଭାବିତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେଥିପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ଜଳ ସମ୍ପଦ ବିଭାଗ ସହିତ ନିରନ୍ତର ଯୋଗାଯୋଗରେ ରହିଛି ।
ବାତ୍ୟାର ମୁକାବିଲା ପାଇଁ ଅଭିଜ୍ଞତା ଥିବା ଅଧିକାରୀମାନଙ୍କୁ ନିୟୋଜିତ କରାଯିବ । ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି । ସ୍ଥିତିକୁ ଦେଖି ଅଧିକାରୀମାନେ ନିଷ୍ପତ୍ତି ନେବାକୁ ସମ୍ପୂର୍ଣ୍ଣ ସକ୍ଷମ ।ବାତ୍ୟା ପାଇଁ ବ୍ୟସ୍ତ ବିବ୍ରତ ନ ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପ୍ରଥମେ ଜୀବନକୁ ସୁରକ୍ଷା ଦିଅନ୍ତୁ । ପାଚିଲା ଧାନ କାଟି ନେବାକୁ ଓୟୁଏଟି ପରାମର୍ଶ ଦେଇଛି । ସରକାରଙ୍କୁ ସହଯୋଗ କରିବାକୁ ରାଜସ୍ୱ ମନ୍ତ୍ରୀ ଆହ୍ୱାନ କରିଛନ୍ତି ।