ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ପୂର୍ବ-କେନ୍ଦ୍ରୀୟ ଓ ତାହାର ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଥିବା ଏହି ବାୟୁମଣ୍ଡଳୀୟ ଆଲୋଡ଼ନ କ୍ରମଶଃ ଶକ୍ତି ସାଉଣ୍ଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି।
ସାଟେଲାଇଟ୍ ଓ ସ୍କାଟେରୋମିଟରରୁ ମିଳିଥିବା ସଦ୍ୟତମ ତଥ୍ୟାନୁସାରେ, ଏହାର କେନ୍ଦ୍ରଭାଗ ଚାରିପାଖରେ ଘଣ୍ଟାକୁ ୩୦ରୁ ୫୦ କିଲୋମିଟର ବେଗରେ ପବନ ଘୂର୍ଣ୍ଣିତ ହେଉଛି। ତେବେ ବାୟୁମଣ୍ଡଳର ଉପରି ପବନର ପ୍ରତିକୂଳ ସ୍ଥିତି ଏବଂ ଥାଇଲାଣ୍ଡ ଉପସାଗରରୁ ଆସିଥିବା ବାୟୁ ବଳୟ ଯୋଗୁଁ ଏହି ଅବପାତ ସୃଷ୍ଟି ହେବାରେ କିଛିଟା ବିଳମ୍ବ ଘଟିଥିବା ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।
ବିଭିନ୍ନ ଗ୍ଲୋବାଲ୍ ପାଣିପାଗ ମଡେଲ୍ଗୁଡ଼ିକର ଆକଳନ ଅନୁଯାୟୀ, ଏହି ବାତ୍ୟା କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶର କାକିନାଡ଼ାରୁ ମଛଲିପଟ୍ଟନମ୍ ମଧ୍ୟବର୍ତ୍ତୀ ଉପକୂଳ ଦେଇ ସ୍ଥଳଭାଗରେ ପ୍ରବେଶ କରିବାର ସମ୍ଭାବନା ଅଧିକ ରହିଛି। ଅକ୍ଟୋବର ୨୭ ତାରିଖ ରାତିରୁ ଅକ୍ଟୋବର ୨୮ ତାରିଖ ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିପାରେ। ତେବେ ବାୟୁମଣ୍ଡଳୀୟ ପରିବର୍ତ୍ତନ ଯୋଗୁଁ ଲ୍ୟାଣ୍ଡଫଲ୍ର ସଠିକ୍ ସ୍ଥାନ ଓ ସମୟରେ ସାମାନ୍ୟ ବଦଳିବାର ସମ୍ଭାବନା ରହିଛି।
ଆଗାମୀ ୨୫ ଅକ୍ଟୋବର ସନ୍ଧ୍ୟାରୁ ମଧ୍ୟରାତ୍ରି ମଧ୍ୟରେ ଅବପାତଟି ଆହୁରି ଘନୀଭୂତ ହୋଇ ପୂର୍ଣ୍ଣାଙ୍ଗ ସାମୁଦ୍ରିକ ଝଡ଼ (Cyclonic Storm)ରେ ପରିଣତ ହେବ। ଏହା ବାତ୍ୟାର ରୂପ ନେବା ପରେ ଏହାର ଆନୁଷ୍ଠାନିକ ନାମକରଣ କରାଯିବ। ପରବର୍ତ୍ତୀ ସମୟରେ ଅର୍ଥାତ୍ ଅକ୍ଟୋବର ୨୬ରୁ ୨୮ ତାରିଖ ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ପରେ ଏହା ଅଧିକ ଭୟଙ୍କର ରୂପ ଧାରଣ କରି 'ଭୀଷଣ ବାତ୍ୟା'ରେ ପରିଣତ ହେବ।
କେତେକ ମଡେଲ୍ ଅନୁସାରେ, ବାତ୍ୟା କେନ୍ଦ୍ରରେ ବାୟୁଚାପ ୯୬୧ରୁ ୯୭୧ ହେକ୍ଟୋପାସ୍କାଲ୍ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଏହା ଏକ ଶକ୍ତିଶାଳୀ ଏବଂ ସମ୍ଭାବ୍ୟ 'ଅତି ଭୀଷଣ ବାତ୍ୟା'ର ସୂଚନା ଦେଉଛି। ପାଣିପାଗ ବିଭାଗ ଅନୁଯାୟୀ, ବର୍ତ୍ତମାନର ସ୍ଥିତିରେ ସମ୍ପୂର୍ଣ୍ଣ ସଠିକ୍ ଚିତ୍ର ଆସିନାହିଁ। ବାତ୍ୟାର ପ୍ରାରମ୍ଭିକ ଗତିପଥରେ ମାତ୍ର ୫୦ରୁ ୧୦୦ କିଲୋମିଟର ପାର୍ଥକ୍ୟ ଦେଖାଦେଲେ ଏହାର ଗତି ଓ ପ୍ରଭାବିତ ଅଞ୍ଚଳ ସମ୍ପୂର୍ଣ୍ଣ ବଦଳିଯାଇପାରେ।
ତେଣୁ ଆଗାମୀ ୨୪ରୁ ୩୬ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅବପାତଟି ସମ୍ପୂର୍ଣ୍ଣ ବାତ୍ୟାର ରୂପ ନେବା ପରେ ଏହାର ଗତିପଥ, ତୀବ୍ରତା ଏବଂ ଲ୍ୟାଣ୍ଡଫଲ୍ ସ୍ଥାନ ଅଧିକ ସ୍ପଷ୍ଟ ହେବ। ଯଦି ବାତ୍ୟାଟି କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଏଁ, ତେବେ ଓଡ଼ିଶାରେ ସିଧାସଳଖ ବାତ୍ୟାର ପ୍ରବଳ ପବନର ଆଶଙ୍କା କମ୍ ରହିବ।
ତଥାପି, ଏହାର ପାର୍ଶ୍ୱବର୍ତ୍ତୀ ପ୍ରଭାବରେ ଗଞ୍ଜାମ, ଗଜପତି ସମେତ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ଓ ସାମାନ୍ୟ ପବନ ହୋଇପାରେ। ଦକ୍ଷିଣ ଓଡ଼ିଶାର ଚାଷୀମାନଙ୍କୁ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି କ୍ଷେତରୁ ଅତିରିକ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ଏବଂ ଅମଳ ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି।
ଶେଷରେ, ଅକ୍ଟୋବର ୨୭ରୁ ୨୮ ମଧ୍ୟରେ ଏକ ଭୀଷଣ ବାତ୍ୟା ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଉଥିଲେ ହେଁ, ଏହାର ଚୂଡ଼ାନ୍ତ ରୂପରେଖ ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଅଧିକ ସ୍ପଷ୍ଟ ହେବ। ସାମ୍ପ୍ରତିକ ପାଣିପାଗ ପୂର୍ବାନୁମାନ ଉପରେ କ୍ରମାଗତ ନଜର ରଖିବାକୁ କୁହାଯାଇଛି।