ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ। ଏହା ଆଗକୁ ଗଭୀର ଅବପାତରେ ପରିଣତ ହେବା ସହ ସମ୍ଭାବ୍ୟ ବାତ୍ୟାର ରୂପ ନେଇପାରେ। ଅକ୍ଟୋବର ୨୬ ସୁଦ୍ଧା ବାତ୍ୟାର ରୂପ ନେବା ଏବଂ ୨୮ ତାରିଖ ସକାଳ ସୁଦ୍ଧା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ପହଞ୍ଚିବାର ଆକଳନ କରାଯାଉଛି। ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେଠାରୁ ସଜାଗ ହୋଇଛନ୍ତି ରାଜ୍ୟ ସରକାର। ବିଦ୍ୟୁତ୍ ବିଭାଗଠାରୁ ଆରମ୍ଭ କରି କୃଷି ବିଭାଗ ପର୍ଯ୍ୟନ୍ତ ସବୁ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଶନିବାର କୃଷି ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ୨୫ଟି ଜିଲ୍ଲାର କୃଷି ଅଧିକାରୀ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ। ସମ୍ଭାବ୍ୟ ବାତ୍ୟାରେ ଚାଷଜମି ଓ ଫସଲର କ୍ଷୟକ୍ଷତି କିପରି କମ୍ ହେବ, ସେନେଇ ଆଲୋଚନା ହୋଇଥିଲା। ଚାଷୀଙ୍କୁ ଠିକ୍ ସମୟରେ ସତର୍କ ସୂଚନା ଓ ଆବଶ୍ୟକ ପରାମର୍ଶ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି।
ବିଦ୍ୟୁତ୍ ସେବା ପାଇଁ ୮ ହଜାର କର୍ମଚାରୀ ପ୍ରସ୍ତୁତ
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଦ୍ୟୁତ୍ ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଟାଟା ପାୱାର ପରିଚାଳିତ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକ ସହ ସମନ୍ୱୟ ରଖି ଆବଶ୍ୟକ ପଦକ୍ଷେପ ନିଆଯାଇଛି।
- ବିପଦପ୍ରବଣ ଅଞ୍ଚଳରେ ଟ୍ରାନ୍ସଫର୍ମର, ବିଦ୍ୟୁତ୍ ଖୁଣ୍ଟ ଓ କଣ୍ଡକ୍ଟର ମହଜୁଦ ରଖାଯାଇଛି।
- ୮ ହଜାରରୁ ଅଧିକ କର୍ମଚାରୀ ଓ ଆବଶ୍ୟକ ଗାଡ଼ି ପ୍ରସ୍ତୁତ ରଖାଯାଇଛି।
- ବିଦ୍ୟୁତ୍ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେଲେ ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ସେବା ପୁନଃସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି।
- ହସ୍ପିଟାଲ, ଜଳଯୋଗାଣ ବ୍ୟବସ୍ଥା ଓ ବାତ୍ୟା ଆଶ୍ରୟସ୍ଥଳୀରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବାକୁ ବ୍ୟବସ୍ଥା ହୋଇଛି।
ଚାଷୀଙ୍କ ପାଇଁ ଜରୁରୀ ପରାମର୍ଶ
ଭାରତୀୟ ପାଣିପାଗ ବିଭାଗ (IMD) ବଙ୍ଗୋପସାଗରରେ ସୃଷ୍ଟ ଅବପାତର ଗତିବିଧି ଉପରେ ନଜର ରଖିଛି। ସମ୍ଭାବ୍ୟ ବାତ୍ୟାକୁ ନେଇ କୃଷି ବିଭାଗ ଚାଷୀଙ୍କୁ ସତର୍କ ରହିବା ସହ ଫସଲର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛି। ଚାଷ ସମ୍ପର୍କିତ ଜରୁରୀ ପରାମର୍ଶ ଓ ସହାୟତା ପାଇଁ ଚାଷୀମାନେ କୃଷକ ସମୃଦ୍ଧି ହେଲ୍ପଲାଇନ୍ ୧୫୫୩୩୩ ନମ୍ବରରେ ଯୋଗାଯୋଗ କରିପାରିବେ।
ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିଥିବା ବେଳେ, ଲୋକଙ୍କ ସୁରକ୍ଷା ଓ କ୍ଷୟକ୍ଷତି ହ୍ରାସ ପାଇଁ ରାଜ୍ୟ ସରକାର ସମସ୍ତ ବିଭାଗକୁ ପ୍ରସ୍ତୁତ ରଖିଛନ୍ତି।