ଫିଲିପାଇନ୍ସ: ତାଲିମ ଅଭ୍ୟାସ ବେଳେ ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇଟି ସାମରିକ ବିମାନ। ଏହି ଭୟଙ୍କର ଦୁର୍ଘଟଣାରେ ୪ ଜଣ ପାଇଲଟ୍ଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଅପରାହ୍ଣରେ ଫିଲିପାଇନ୍ସର ରାଜଧାନୀ ମାନିଲା ନିକଟସ୍ଥ ଫର୍ନାଣ୍ଡୋ ଏୟାରବେସ୍ରେ ଏହି ଦୁର୍ଘଟଣା ଘଟିଛି। ଶନିବାର ଫିଲିପାଇନ୍ସ ବାୟୁସେନା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଦୁଇଟି ବିମାନ SF-260 ମଡେଲ୍ର ଏକକ ଇଞ୍ଜିନ୍ ବିଶିଷ୍ଟ ପ୍ରୋପେଲର୍ ବିମାନ ଥିଲା। ଉଭୟ ବିମାନ ଏୟାରବେସ୍ର ସୀମା ମଧ୍ୟରେ ଖସିପଡ଼ିଥିଲା। ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତି ଆହତ କିମ୍ବା ମୃତାହତ ହୋଇନଥିବା ବାୟୁସେନାର ମୁଖପାତ୍ର କର୍ଣ୍ଣେଲ ଆଲଭିନ୍ କାପିଙ୍ଗୁଆନ୍ ସ୍ପଷ୍ଟ କରିଛନ୍ତି।
ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି। ଏଥିସହ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଫିଲିପାଇନ୍ସ ବାୟୁସେନାର ସମସ୍ତ SF-260 ବିମାନ ଉଡ଼ାଣକୁ ସାମୟିକ ଭାବେ ବନ୍ଦ ରଖାଯାଇଛି।
ଉଲ୍ଲେଖଯୋଗ୍ୟ, ଫିଲିପାଇନ୍ସରେ ଗତ କିଛି ବର୍ଷ ମଧ୍ୟରେ ଏକାଧିକ ସାମରିକ ବିମାନ ଦୁର୍ଘଟଣା ଘଟିଛି। ଗତ ମେ’ ମାସରେ ଉତ୍ତର ଫିଲିପାଇନ୍ସର ବେଙ୍ଗୁଏଟ୍ ପ୍ରଦେଶରେ ତାଲିମ ଅଭ୍ୟାସ ସମୟରେ ଆଉ ଏକ SF-260 ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଜଣ ସାମରିକ ପାଇଲଟ୍ଙ୍କ ଜୀବନ ଯାଇଥିଲା।