ତାଇୱାନରେ ପ୍ରକୃତିର କରାଳ ରୂପ। ଶକ୍ତିଶାଳୀ ବାତ୍ୟା ଚାମ୍ପିର ପ୍ରଭାବରେ ଦୋହଲିଗଲା ଜନଜୀବନ। ପ୍ରବଳ ପବନ ଓ ମୂଷଳଧାରା ବର୍ଷା ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୫୨୭ ଜଣ ଆହତ ହୋଇଛନ୍ତି। ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ତେବେ ତାଇୱାନ ଅତିକ୍ରମ କରିବା ପରେ ଧୀରେ ଧୀରେ ଦୁର୍ବଳ ହେଉଛି ଏହି ସାମୁଦ୍ରିକ ଝଡ଼।
ମଧ୍ୟରାତ୍ରିରେ ଭୟଙ୍କର ରୂପ
ତାଇୱାନର କେନ୍ଦ୍ରୀୟ ପାଣିପାଗ ପ୍ରଶାସନ ଅନୁଯାୟୀ, ବାତ୍ୟା ଚାମ୍ପିର ପ୍ରଭାବରେ କେତେକ ଉପକୂଳ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୨୨୭ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହାଦ୍ୱାରା ବିଦ୍ୟୁତ୍ ତାର ଛିଣ୍ଡିବା ସହ ଘରର ଛାତରୁ ଟାଇଲ୍ ଉଡ଼ିଯାଇଥିଲା। ୟିଲାନ୍ ଅଞ୍ଚଳରେ ଅନେକ ଗଛ ନଷ୍ଟ ହୋଇଛି।
ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ କହିବା ଅନୁସାରେ, ମଧ୍ୟରାତ୍ରି ସମୟରେ ଝଡ଼ର ପ୍ରକୋପ ସବୁଠାରୁ ଭୟଙ୍କର ଥିଲା। ରାତିସାରା ଲୋକେ ଭୟରେ ଶୋଇପାରି ନଥିଲେ।
୨.୮୮ ଲକ୍ଷରୁ ଅଧିକ ଘରର ବିଦ୍ୟୁତ୍ ସେବା ପ୍ରଭାବିତ
ବାତ୍ୟା ଯୋଗୁଁ ୨ ଲକ୍ଷ ୮୮ ହଜାରରୁ ଅଧିକ ଘରର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିଲା। ତେବେ ଅଧିକାଂଶ ଘରକୁ ବିଦ୍ୟୁତ୍ ସେବା ପୁନଃ ଯୋଗାଇ ଦିଆଯାଇଛି। ଝଡ଼ ପ୍ରଭାବରେ ୨୫୯ଟି ବିମାନ ଉଡ଼ାଣ ବାତିଲ ହୋଇଛି। ସୁରକ୍ଷା ଦୃଷ୍ଟିରୁ ତାଇୱାନର ଅନେକ ଅଞ୍ଚଳରେ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି।
ଚୀନ୍ ଉପକୂଳ ଆଡ଼କୁ ମୁହାଁଇଛି ଝଡ଼
ବର୍ତ୍ତମାନ ବାତ୍ୟା ଚାମ୍ପି ଦୁର୍ବଳ ହୋଇ ଚୀନ୍ର ଉପକୂଳ ଆଡ଼କୁ ଗତି କରୁଛି। ତେବେ ଏହା ଚୀନ୍ରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ନଥିବା ଆକଳନ କରାଯାଇଛି। ସତର୍କତା ସ୍ୱରୂପ ଚୀନ୍ର ଝେଜିଆଙ୍ଗ ପ୍ରଦେଶରେ ଉଦ୍ଧାରକାରୀ ଦଳ ଓ ଆବଶ୍ୟକ ଉପକରଣ ପ୍ରସ୍ତୁତ ରଖାଯାଇଛି। ହଜାର ହଜାର ମତ୍ସ୍ୟଜୀବୀଙ୍କ ଡଙ୍ଗାକୁ ସୁରକ୍ଷିତ ବନ୍ଦରକୁ ଫେରାଇ ଅଣାଯାଇଥିବାବେଳେ ଦ୍ୱୀପରେ ଥିବା ପର୍ଯ୍ୟଟକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି। ବାତ୍ୟା ଚାମ୍ପିର ପ୍ରକୋପ କମୁଥିଲେ ମଧ୍ୟ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।