ଓଡ଼ିଶା ସହ ଜାପାନର ସମ୍ପର୍କ ହେବ ଆହୁରି ମଜଭୁତ। ରାଜ୍ୟକୁ ନିବେଶ ଆଣିବା ସହ ଶିଳ୍ପ, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ପାଇଁ ହେବ ପ୍ରୟାସ। ଏଥିପାଇଁ ଆସନ୍ତା ମାସରେ ଓଡ଼ିଶା ଗସ୍ତରେ ଆସିବେ ଜାପାନର ଟଟୋରୀ ପ୍ରଦେଶର ପ୍ରାୟ ୧୦୦ ଜଣିଆ ପ୍ରତିନିଧି ଦଳ। ଏହି ଗସ୍ତ ଓଡ଼ିଶା ଓ ଜାପାନ ମଧ୍ୟରେ ଆର୍ଥିକ ଓ ସାଂସ୍କୃତିକ ସମ୍ପର୍କକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।
ଟଟୋରୀ ରାଜ୍ୟପାଳଙ୍କ ନେତୃତ୍ୱରେ ଆସିବେ ପ୍ରତିନିଧି ଦଳ
ଏହି ପ୍ରତିନିଧି ଦଳରେ ଟଟୋରୀ ପ୍ରଦେଶର ରାଜ୍ୟପାଳ ଶିଞ୍ଜି ହିରାଇଙ୍କ ସମେତ ବରିଷ୍ଠ ସରକାରୀ ଅଧିକାରୀ, ଶିଳ୍ପପତି ଓ ବିଭିନ୍ନ ସଂସ୍ଥାର ପ୍ରତିନିଧି ସାମିଲ ହେବେ। ଓଡ଼ିଶା ଗସ୍ତ ସମୟରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରିବେ। ବିଶେଷ କରି ଶିଳ୍ପ, ବାଣିଜ୍ୟ, ପର୍ଯ୍ୟଟନ, ନିଯୁକ୍ତି ଓ ବୈଷୟିକ ସହଯୋଗ କ୍ଷେତ୍ରରେ ନୂଆ ସୁଯୋଗ ଖୋଜାଯିବ। ଏହାଦ୍ୱାରା ଓଡ଼ିଶାକୁ ଜାପାନୀ ନିବେଶ ଆସିବା ସହ ଦୁଇ ପକ୍ଷ ମଧ୍ୟରେ ବ୍ୟବସାୟିକ ସହଭାଗିତା ବୃଦ୍ଧି ପାଇପାରେ।
ବୌଦ୍ଧ କୀର୍ତ୍ତିରାଜି ଆକର୍ଷିତ କରିବ ଜାପାନୀ ପର୍ଯ୍ୟଟକଙ୍କୁ
ଏହି ଗସ୍ତରେ ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯିବ। ଓଡ଼ିଶାରେ ଥିବା ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ଜାପାନୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାର ବଡ଼ ମାଧ୍ୟମ ହୋଇପାରେ। ଏଥିପାଇଁ ସ୍ୱତନ୍ତ୍ର ପର୍ଯ୍ୟଟନ ଆୟୋଜନ କରିବାର ସମ୍ଭାବନା ରହିଛି।
ଟଟୋରୀ ସରକାରଙ୍କ ଭାରତୀୟ ବ୍ୟବସାୟ ପରାମର୍ଶଦାତା କୁନା ଦାଶ ମଧ୍ୟ ଏହି ଗସ୍ତରେ ସାମିଲ ହେବେ। ତାଙ୍କ ମତରେ, ଏହି ଗସ୍ତ ଉଭୟ ପକ୍ଷର ପର୍ଯ୍ୟଟନ ଶିଳ୍ପ ପାଇଁ ନୂଆ ସମ୍ଭାବନା ଖୋଲିପାରିବ।
ଓଡ଼ିଶାର ବୌଦ୍ଧ ଐତିହ୍ୟ, ଐତିହାସିକ ସ୍ଥଳୀ ଓ ସାଂସ୍କୃତିକ ପରମ୍ପରାକୁ ଜାପାନରେ ଅଧିକ ପ୍ରଚାର କରାଯାଇପାରିଲେ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବଢ଼ିବାର ଆଶା ରହିଛି। ଜାପାନର ଏହି ପ୍ରତିନିଧି ଦଳର ଗସ୍ତ ଓଡ଼ିଶା ପାଇଁ ନିବେଶ, ନିଯୁକ୍ତି ଓ ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଦ୍ୱାର ଖୋଲିବାର ସମ୍ଭାବନା ସୃଷ୍ଟି କରିଛି।