ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତକୁ ସ୍ଥଗିତ ରଖାଯାଇଛି। ଅକ୍ଟୋବର ୨୮ ଓ ୨୯ ତାରିଖରେ ରାଷ୍ଟ୍ରପତି ନିଜ ଜନ୍ମମାଟି ରାଇରଙ୍ଗପୁର ସମେତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ପାଣିପାଗ ପୂର୍ବାନୁମାନ ଓ ସୁରକ୍ଷା ଦୃଷ୍ଟିରୁ ଏହି ଗସ୍ତକୁ ଏକ ସପ୍ତାହ ଘୁଞ୍ଚାଇ ଦିଆଯାଇଛି।
ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ହୋଇନାହିଁ, ବରଂ ଏହାର ତାରିଖ ପରିବର୍ତ୍ତନ କରାଯାଇଛି। ନୂଆ କାର୍ଯ୍ୟସୂଚୀ ଅନୁଯାୟୀ, ରାଷ୍ଟ୍ରପତି ନଭେମ୍ବର ୪ ଓ ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ।
ଏହି ଦୁଇଦିନିଆ ଗସ୍ତ ସମୟରେ ରାଷ୍ଟ୍ରପତି ରାଇରଙ୍ଗପୁର, ବହଳଦାର ଐତିହାସିକ ମା’ କୀଚକେଶ୍ୱରୀ ମନ୍ଦିର ଏବଂ ଗୋରୁମହିଷାଣୀ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯିବାର କାର୍ଯ୍ୟକ୍ରମ ରହିଛି। ଏହାସହ ବିଭିନ୍ନ ବିକାଶମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗଦେବାର ସମ୍ଭାବନା ରହିଛି।
ଅନ୍ୟପଟେ, ବଙ୍ଗୋପସାଗରରେ ପାଣିପାଗ ପ୍ରଣାଳୀ ଉପରେ ପାଣିପାଗ ବିଭାଗ ନଜର ରଖିଛି। ସମ୍ଭାବ୍ୟ ପାଣିପାଗ ପରିବର୍ତ୍ତନକୁ ନେଇ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା ଟିମ୍ ସତର୍କ ରହିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ଜାରି ହେବା ଆଶା କରାଯାଉଛି।