ନବରଙ୍ଗପୁର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ସତର୍କ ହୋଇଛି ପ୍ରଶାସନ। ପ୍ରବଳ ବର୍ଷା ଆଶଙ୍କା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଗେଟ୍ ଖୋଲାଯାଇଛି। ଶନିବାର ଗେଟ୍ ନମ୍ବର ୩ ଓ ୬ ଦେଇ ପ୍ରତି ସେକେଣ୍ଡରେ ୧୩୩ କ୍ୟୁସେକ୍ ଜଳ ଛଡ଼ାଯାଉଛି।
ଜଳଭଣ୍ଡାରରେ ବର୍ତ୍ତମାନ ୬୪୦.୯ ମିଟର ଜଳ ରହିଛି। ଏହାର ସର୍ବାଧିକ ଜଳଧାରଣ ସ୍ତର ୬୪୨ ମିଟର। ଆଗକୁ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ଥିବାରୁ ଜଳଭଣ୍ଡାରର ସ୍ଥିତି ଉପରେ ନଜର ରଖାଯାଇଛି।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ପାଣିପାଗ ପ୍ରଣାଳୀ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ। ଏହା ଅକ୍ଟୋବର ୨୮ ଆଡ଼କୁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବା ଆଶଙ୍କା ରହିଛି।
ଇନ୍ଦ୍ରାବତୀ ନଦୀର ତଳମୁଣ୍ଡ ଅଞ୍ଚଳରେ ରହୁଥିବା ଲୋକଙ୍କୁ ନେଇ ସତର୍କତା ଅବଲମ୍ବନ କରାଯାଉଛି। ଜିଲ୍ଲା ପ୍ରଶାସନ ଜଳସ୍ତର ଓ ଜଳପ୍ରବାହ ଉପରେ ନିରନ୍ତର ନଜର ରଖିଛି।
ସେପଟେ, ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ରାଜ୍ୟର ଦକ୍ଷିଣ ଓ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରସ୍ତୁତି ଜୋରଦାର ହୋଇଛି। ଆନ୍ଧ୍ରପ୍ରଦେଶ ସୀମାନ୍ତ କେତେକ ଜିଲ୍ଲାରେ ଅକ୍ଟୋବର ୨୮ ଓ ୨୯ରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ଯୋଜନା କରାଯାଇଛି। ବିପର୍ଯ୍ୟୟ ମୁକାବିଲା ଟିମ୍ଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।