ଢେଙ୍କାନାଳ: ଆଜିଠାରୁ ଆରମ୍ଭ ହେଉଛି ଗଜଲକ୍ଷ୍ମୀ ପୂଜା। ମା' ଙ୍କ ଆବାହନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ମାଙ୍କ ଚକ୍ଷୁଦାନ । ଢେଙ୍କାନାଳର ୪୧ ଟି ପୂଜା ମଣ୍ଡପରେ ମା' ଙ୍କୁ ଆବାହନ କରାଯାଉଛି । ସାତୋଟି ପୂଜା ମଣ୍ଡପରେ କୁଇଣ୍ଟାଲ୍ କୁଇଣ୍ଟାଲ୍ ଓଜନର ଚାନ୍ଦିମେଢ ସାଙ୍ଗକୁ ସୁନା ମୁକୁଟ, ସୁନ୍ଦର ଆଲୋକ ମାଳା ଓ ସୁ-ଉଚ୍ଚ ତୋରଣ ସାଜିବ ଆକର୍ଷଣର କେନ୍ଦ୍ରବିନ୍ଦୁ । ଲକ୍ଷାଧିକ ଭକ୍ତଙ୍କ ସମାଗମ କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଆଜିଠାରୁ ୧୦ ଦିନ ବ୍ୟାପି ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ଚାଲିବ । ଗଜଲକ୍ଷ୍ମୀ ପୂଜା କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଦେଢ଼ ମାସ ପୂର୍ବରୁ ପ୍ରସ୍ତୁତିରେ ଲାଗିଛନ୍ତି ସମସ୍ତ ପୂଜା କମିଟିର କର୍ମକର୍ତ୍ତା । ମୃଣ୍ମୟୀ ମୂର୍ତ୍ତି କାମଠୁ ନେଇ କପଡାର ସୁ-ଉଚ୍ଚ ତୋରଣ , ଲାଇଟ୍ ଗେଟ୍ ଏସବୁ କାମ ସାରିବା ପାଇଁ ଦିନ ରାତି ଏକ କରି ଲାଗିଛନ୍ତି କାରିଗର । ୮୬ ବର୍ଷରେ ପଦାର୍ପଣ କରିଥିବା ଢେଙ୍କାନାଳର ଏହି ଗଣପର୍ବ କୁ ଅଧିକ ଆକର୍ଷଣୀୟ କରିବ ଭଳିକି ଭଳି ଚାନ୍ଦି ମେଢ଼ ସାଙ୍ଗକୁ ଗୋଟିଏ ଲାଇନ୍ ରେ ୧୦ କିଲୋମିଟର ବ୍ୟାପି ରଙ୍ଗ ବେରଙ୍ଗର ସୁନ୍ଦର ଆଲୋକମାଳା ।
ଗଣେଷ ବଜାର ପକ୍ଷରୁ ତାମିଲନାଡୁର ବାବାଜି ତିରୁପତି ସଦୃଶ କପଡ଼ା ତୋରଣ , ମୀନା ବଜାର ରେ ଭର୍ଟୀକାନ୍ ସଦୃଶ କପଡ଼ା ତୋରଣ ଓ ଲକ୍ଷ୍ମୀ ବଜାର ର ତୋରଣ ଶ୍ରଦ୍ଧାଳୁଙ୍କୁ ବେଶ୍ ଆକୃଷ୍ଟ କରିବ । ୪୧ ଟି ପୂଜା ମଣ୍ଡପକୁ ବିଭିନ୍ନ ଥିମ୍ ରେ ମଧ୍ୟ ସଜାଯାଇଛି । ଯାହା ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିବ ।
ସୁରକ୍ଷା ବ୍ୟବସ୍ଥା
ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂଜା ମଣ୍ଡପ ଗୁଡିକୁ ସିସିଟିଭି ସର୍ଭେଲାନ୍ସରେ ରଖାଯିବା ସହ ଭିଡ଼ ନିୟନ୍ତ୍ରଣ ପାଇଁ ଭଲାଣ୍ଟିୟର ମୃତୟନ ରହିବେ । ଟ୍ରାଫିକ୍ କଣ୍ଟ୍ରୋଲ୍ ଆଇନ୍ ଶୃଙ୍ଖଳା ରକ୍ଷା ପକେଟ୍ ମାରୁ ଛିନତାଇ ଓ ନିଶା ଦ୍ରବ୍ୟ ରୋକ୍ ପାଇଁ ୨୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୃତୟନ କରାଯିବ ବୋଲି ଏସପି କହିଛନ୍ତି। ଏଥିପାଇଁ ସାଧା ପୋଷାକରେ ସ୍ପେଶାଲ ସ୍କ୍ୱାର୍ଡ , ପିକେଟିଂ ପାର୍ଟୀ ,ଆଣ୍ଟି ସ୍ନାଚିଙ୍ଗ୍ ସ୍କ୍ୱାର୍ଡ ଭଳି ବିଭିନ୍ନ ଟିମ୍ ଗଠନ କରାଯାଇଥିବା ଏସପି କହିଛନ୍ତି। ଏଥି ସହିତ ଦୁଇ ଜଣ ଅତିରିକ୍ତ ଏସପି , ୧୦ ଜଣ ଡିଏସପି , ୨୬ ଜଣ ଇନ୍ସପେକ୍ଟର , ସବ୍ ଇନ୍ସପେକ୍ଟର ଓ ଏଏସ୍ଆଇ ୧୦୭ ଜଣ ୧୪୫ ପୋଲିସ୍ ଅଫିସର୍ ମୃତୟନ ରହିବେ ।