କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗରେ ୨ କୋଟି ୬୦ ଲକ୍ଷରୁ ଅଧିକ ସରକାରୀ ଟଙ୍କା ହେରଫେର ଅଭିଯୋଗ ହୋଇଛି । ଭିଜିଲାନ୍ସ ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗ ଡିଏଫଓ ଅଫିସରେ ସିନିୟର ଆସିଷ୍ଟାଣ୍ଟ ତଥା ଏଷ୍ଟାବ୍ଲିସମେଣ୍ଟ ସେକ୍ସନରେ ସିନିୟର ଆସିଷ୍ଟାଣ୍ଟ ବାବୁଲୁ ସୁନାଙ୍କୁ ଗିରଫ କରାଯାଇଛି ।
୨୦୨୩ ମସିହାରୁ ସେ MACP ଏବଂ RACP ସ୍କିମ୍ ଅଧିନରେ ଜାଲ୍ ଏରିୟର ବିଲ୍ ପ୍ରସ୍ତୁତ କରି ପ୍ରାୟ ୨ କୋଟି ୬୦ ଲକ୍ଷ ୨୧ ହଜାର ୩୦୬ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ସିନିୟର ଆସିଷ୍ଟାଣ୍ଟ ବାବୁଲୁ ସୁନା ନିଜ ପଦବୀର ଅପବ୍ୟବହାର କରି ପୂର୍ବତନ କର୍ମଚାରୀ, ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ପରିଚୟ ପତ୍ରରେ ଜାଲ୍ ବିଲ୍ ପ୍ରସ୍ତୁତ କରି ଉକ୍ତ ଟଙ୍କାକୁ ନିଜ ହଡ଼ପ କରିଥିଲେ । ସେ ଏହି ଟଙ୍କାକୁ ନିଜ ପରିବାରର ଅନ୍ୟ ସଦସ୍ୟ ଏବଂ ଦୁଇ ଜଣ ସହଯୋଗୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଉଥିଲେ। ସେ ନିଜର ଦରମା ମଧ୍ୟ ବେଆଇନ ଭାବେ ବଢ଼ାଇ ପ୍ରାୟ ୧୦.୫୮ ଲକ୍ଷ ଟଙ୍କା ଅଧିକ ନେଇଥିଲେ ।
ଏ ନେଇ ବନ ବିଭାଗ ଅବଗତ ହେବା ପରେ ତଦନ୍ତ ପାଇଁ କୋରାପୁଟ ଭିଜିଲାନ୍ସ ନିକଟରେ ଆବେଦନ କରିଥିଲା । କିନ୍ତୁ ବାବୁଲୁ ସୁନା ଗତ ୬ ମାସ ହେବ ଆତ୍ମ ଗୋପନ କରିଥିଲା । ଗତକାଲି ରାତିରେ ଭିଜିଲାନ୍ସ ତାଙ୍କୁ ବଲାଙ୍ଗୀରରୁ ଗିରଫ କରିଛି । ଆଜି ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ହାଜର କରାଯିବ ।