ଭୁବନେଶ୍ୱର: ଦେଶର ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ତଥ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଅତ୍ୟାଧୁନିକ ଗ୍ରୀନ୍ଫିଲ୍ଡ ଡାଟା ସେଣ୍ଟର ଏବଂ ସାଇବର ସିକ୍ୟୁରିଟି ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍କୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ। ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଇନଫୋଭ୍ୟାଲି-୨ ଅଞ୍ଚଳରେ ନିର୍ମିତ ଏହି ହାଇଟେକ୍ ପ୍ରକଳ୍ପ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି।
ନଭି ମୁମ୍ବାଇ ପରେ ଓଡ଼ିଶାରେ ସ୍ଥାପିତ ହୋଇଛି ଆରବିଆଇର ଦ୍ୱିତୀୟ ସୁରକ୍ଷିତ ଡାଟା ସେଣ୍ଟର। ଜଟଣୀ ଇନଫୋଭ୍ୟାଲି-୨ରେ ପ୍ରାୟ ୧୮.୫୫ ଏକର ଜମିରେ ୧୬୯ କୋଟି ଟଙ୍କାର ବ୍ୟୟବରାଦରେ ଏହା ନିର୍ମାଣ କରାଯାଇଛି। ଏହା କେବଳ ଏକ ସାଧାରଣ କୋଠା ନୁହେଁ, ବରଂ ଦେଶର ସମଗ୍ର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ମୁଖ୍ୟ ବ୍ୟାକଅପ୍ ଏବଂ ସାଇବର ପ୍ରତିରୋଧକ କେନ୍ଦ୍ର ଭାବେ କାର୍ଯ୍ୟ କରିବ। କୌଣସି ପ୍ରାକୃତିକ ବିପର୍ଯ୍ୟୟ, ବୈଷୟିକ ତ୍ରୁଟି କିମ୍ବା ସାଇବର ଆକ୍ରମଣ ସମୟରେ ବିନାନିରବଚ୍ଛିନ୍ନ ଭାବେ ଆର୍ଥିକ ସେବା ଜାରି ରଖିବାରେ ଏହି ସେଣ୍ଟର ପ୍ରମୁଖ ଭୂମିକା ଗ୍ରହଣ କରିବ।
ପୂର୍ବାନୁମାନ ଅନୁଯାୟୀ, ଆସନ୍ତାକାଲି ଅପରାହ୍ଣ ୪ଟା ୧୦ ମିନିଟ୍ରେ ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ଜଟଣୀ ଗସ୍ତ କରି ଡାଟା ସେଣ୍ଟରର ଉଦ୍ଘାଟନ କରିବେ। ପ୍ରାୟ ଘଣ୍ଟାଏ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ସଡ଼କ ପଥରେ ରୋଡ୍ ଶୋ' କରି ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ଜଟଣୀ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶନିବାର କମିଶନରେଟ୍ ପୋଲିସ୍ ପକ୍ଷରୁ ବିମାନବନ୍ଦରରୁ କାର୍ଯ୍ୟକ୍ରମ ସ୍ଥଳ ପର୍ଯ୍ୟନ୍ତ କାରକେଡ୍ ରିହରସାଲ୍ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୭୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଥିବା ବେଳେ ୩୭ ଜଣ ଏଏସ୍ପି/ଡିଏସ୍ପି, ୭୧ ଜଣ ଆଇଆଇସି ଏବଂ ୨୨୩ ଜଣ ଏସ୍ଆଇ/ଏଏସ୍ଆଇ ପହରା ଦେବେ। ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଜଣେ ଆଇଜି, ୩ ଜଣ ଡିଆଇଜି ଏବଂ ୨୦ ଜଣ ଅତିରିକ୍ତ ଏସ୍ପି/ଡିସିପି ପାହ୍ୟାର ଅଧିକାରୀ ନିୟୋଜିତ ଅଛନ୍ତି।
ସୁରକ୍ଷା ନଜରରୁ ଆସନ୍ତାକାଲି ଅପରାହ୍ଣ ୫ଟା ୪୦ରୁ ସନ୍ଧ୍ୟା ୬ଟା ୪୦ ପର୍ଯ୍ୟନ୍ତ ରାଜଧାନୀର ପ୍ରମୁଖ ରାଜପଥ ଓ ସଂଯୋଗକାରୀ ରାସ୍ତାଗୁଡ଼ିକରେ ସାଧାରଣ ଯାନବାହାନ ଚଳାଚଳ ଉପରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି।