ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ପ୍ରଦେଶ ଉପକୂଳ ଛୁଇଁବ । ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଉପରେ ମଧ୍ୟ ପଡ଼ିବ । ବାତ୍ୟା ପରିଚାଳନା ପାଇଁ ରାଜ୍ୟ ସରକାର ୫ ଜଣ ବରିଷ୍ଠ ଏବଂ ଅଭିଜ୍ଞ ଆଇଏଏସ୍ ଅଧିକାରୀଙ୍କୁ ୫ଟି ଜିଲ୍ଲା ଦାୟିତ୍ୱ ଦେଇଛନ୍ତି ।
ସରକାରୀ ବିଜ୍ଞପ୍ତି ଅନୁସାରେ, କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଥିବାବେଳେ ଡ. ପୋମା ଟୁଡୁଙ୍କୁ କୋରାପୁଟ ଜିଲ୍ଲା ଦାୟିତ୍ୱ ମିଳିଛି । ସେହିପରି ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲା, ଡ. ୟେଦୁଲା ବିଜୟଙ୍କୁ ମାଲକାନଗିରି ଏବଂ ଡାକ୍ତର ମହେଶ୍ୱର ସ୍ୱାଇଁ ନବରଙ୍ଗପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।
ନିୟୋଜିତ ଆଇଏଏସ୍ ଅଧିକାରୀଙ୍କୁ ବାତ୍ୟା ପରିଚାଳନା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରିଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ପାଣିପାଗ ବିଭାଗର ଆକଳନ ଅନୁସାରେ, ସୃଷ୍ଟ ଅବପାତ ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୨୬, ସୋମବାର ସକାଳ ସୁଦ୍ଧା ବାତ୍ୟାର ରୂପ ନେବ । ଏହି ବାତ୍ୟା ସମୁଦ୍ର ଭିତରେ ଆହୁରି ଗୋଟିଏ ଦିନ ରହିବ ଏବଂ ବଳ ଗୋଟାଇ ଶକ୍ତିଶାଳୀ ହେବ । ଅକ୍ଟୋବର ୨୭, ମଙ୍ଗଳବାର ସକାଳେ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ବାତ୍ୟା ଧିରେ ଧିରେ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବା ପରେ ଅକ୍ଟୋବର ୨୮, ବୁଧବାର ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ଆନ୍ଧ୍ରପ୍ରଦେଶର ୟାନମ୍ ଉପକୂଳ ଅର୍ଥାତ୍ ବାପତଲା ଏବଂ ବିଶାଖାପଟ୍ଟନମ ମଧ୍ୟରେ ସ୍ଥଳଭାଗ ଛଇଁବାର ପୂର୍ବାନୁମାନ କରାଯାଇଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ ରୁ ୧୨୫ କିଲୋମିଟର ରହିବ । ଘଣ୍ଟା ପ୍ରତି ୧୪୦ କିମି ବେଗରେ ଝଟକା ପବନ ମଧ୍ୟ ଦେଇପାରେ ।