ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମ୍ଭାବ୍ୟ ବାତ୍ୟା କିମ୍ବା ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଏବଂ ସଜବାଜ ତଦାରଖ ପାଇଁ ୮ ଜଣ ମନ୍ତ୍ରୀଙ୍କୁ ୮ଟି ପ୍ରଭାବିତ ଜିଲ୍ଲା ଦାୟିତ୍ୱ ପ୍ରଦାନ କରିଛନ୍ତି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ରିଲିଫ୍ ଓ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା । ବାତ୍ଯା ସମୟରେ ଜିରୋ କାଜୁଆଲିଟି ରଖିବା ଏହି ନିଯୁକ୍ତିର ମୂଳ ଉଦ୍ଦେଶ୍ୟ ଅଟେ।
ସାମ୍ଭାବ୍ୟ ବାତ୍ଯାର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ କୋରାପୁଟ ଜିଲ୍ଲା। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ରାୟଗଡ଼ା ଜିଲ୍ଲା। ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ କନ୍ଧମାଳ ଜିଲ୍ଲା, ବିଭୂତି ଭୂଷଣ ଜେନାଙ୍କୁ ଗଞ୍ଜାମ ଜିଲ୍ଲା, କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ନବରଙ୍ଗପୁର ଜିଲ୍ଲା, ନିତ୍ୟାନନ୍ଦ ଗଣ୍ଡଙ୍କୁ ମାଲକାନଗିରି ଜିଲ୍ଲା, ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ କଳାହାଣ୍ଡି ଜିଲ୍ଲା, ସୂର୍ଯ୍ୟବଂଶୀ ସୂରଜଙ୍କୁ ଗଜପତି ଜିଲ୍ଲା ଦାୟିତ୍ୱ ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ୨୮ତାରିଖ ପାଇଁ ଆନ୍ଧ୍ରପ୍ରଦେଶ, #ଓଡିଶା , ଛତିଶଗଡ ଏବଂ ତେଲେଙ୍ଗାନା ର ବିଭିନ୍ନ ଜିଲ୍ଲାକୁ ଜାରିହୋଇଥିବା ଭାରି ବର୍ଷା ସକାଶେ ରେଡ୍ ଚେତାବନୀ ଦିଆଯାଇଛି। ଆନ୍ଧ୍ର ରେ ୧୧ ଜିଲ୍ଲା, ଓଡ଼ିଶାରେ ୫ ଜିଲ୍ଲା, ଛତିଶଗଡର ୪ ଜିଲ୍ଲା, ଏବଂ ତେଲେଙ୍ଗାନା ର ୪ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି।
ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ ପରେ ଓଡ଼ିଶାକୁ ବାତ୍ୟା ଭୟ, ଜଳ ନିଷ୍କାସନଠାରୁ ସ୍ଥାନାନ୍ତର ଯାଏଁ ପ୍ରସ୍ତୁତି ହୋଇଛି। ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଓଡ଼ିଶା ସରକାର ସଜାଗ ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ବାତ୍ୟା ମୁକାବିଲା ପାଇଁ ୮ଟି NDRF ଟିମ୍, ୨୨୫ଟି ଅଗ୍ନିଶମ ଟିମ୍ ଓ ବରିଷ୍ଠ ଅଧିକାରୀଙ୍କୁ ପ୍ରସ୍ତୁତ ରଖାଯାଇଛି ।