କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମାଳପୁରା ଗାଁର ଶବର ସାହିରେ ସ୍ୱାମୀ-ସ୍ତ୍ରୀଙ୍କ କଳହରୁ ଘଟିଛି ଏକ ଦୁଃଖଦ ଘଟଣା। ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଉଛନ୍ତି କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ୪ ନମ୍ବର କଲୋନୀର ସସ୍ମିତା ଖଟୁଆ।
ସୂଚନା ଅନୁଯାୟୀ, ସସ୍ମିତା ମାଳପୁରା ଗାଁ ଶବର ସାହିରେ ଅଙ୍ଗନୱାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ସ୍ୱାମୀ ଲଳିତ ରଣାଙ୍କଠାରୁ ବାରମ୍ବାର ନିର୍ଯାତନା ମିଳୁଥିବାରୁ ସସ୍ମିତା ଗତ ୬ ମାସ ହେବ ମାଳପୁରାସ୍ଥିତ ନିଜ ବାପଘରେ ରହୁଥିଲେ।ଆଜି ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏହା ପରେ ଲଳିତ ଏକ ଛୁରୀରେ ସସ୍ମିତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ସସ୍ମିତାଙ୍କୁ କାମାକ୍ଷାନଗର ମେଡିକାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାକୁ ନେଇ କାମାକ୍ଷାନଗର ପୋଲିସ ତଦନ୍ତ ଜାରି ରଖିଛି। ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ଦିଗ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।