ବରଗଡ଼ : ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ଭୂମିକାରୁ ସୁଶୀଲ ମେହେର ଓହରି ଯାଇଛନ୍ତି। ଧନୁଯାତ୍ରା କଂସ ଭୂମିକା ଛାଡ଼ିଲେ ସୁଶିଲ୍ ମେହେର । ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସଭାପତିଙ୍କୁ ଏନେଇ ଚିଠି ଦେଇଛନ୍ତି।
ସୂଚନା ଅନୁସାରେ କିଛି ଗୋଷ୍ଠୀଙ୍କ ପାଇଁ ଓହରି ଯାଉଥିବା ସୁଶିଲଙ୍କ ଅଭିଯୋଗ। ଗତ ବର୍ଷ (୨୦୨୫) ସେ ପ୍ରତିଷ୍ଠିତ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରାର ୭୮ତମ ସଂସ୍କରଣ ପାଇଁ ମହାରାଜ କଂସ ଭୂମିକାରେ ଚୟନ ହୋଇଥିଲେ। ୩ ବର୍ଷର ଚୁକ୍ତି ଥିଲେ ମଧ୍ୟ କିଛି ବିବାଦ ଏବଂ ବ୍ୟକ୍ତିଗତ କାରଣ ଯୋଗୁଁ ସେ ନିଜ ଆଡ଼ୁ ଏହି ଭୂମିକା ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।
ସେ ଚିଠି ମାଧ୍ୟମରେ ଜଣାଇଛନ୍ତି କି ଗତବର୍ଷ ଧନୁଯାତ୍ରାରେ କଂସ ଭୂମିକା ଅଭିନୟ କରି ଜନସାଧାରଣ ଙ୍କ ଠାରୁ ବିପୁଳ ସମ୍ମାନ, ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ପାଇଥିବାରୁ ମୁ ନିଜକୁ ଧନ୍ୟ ମନେକଲି । କିଛି ବ୍ୟକ୍ତି ମୋର ଅଭିନୟକୁ ନେଇ ବିଭିନ୍ନ ବିଭ୍ରାନ୍ତିକର ମନୁବ୍ୟ ଦେଇ ଆସୁଛନ୍ତି । କିନ୍ତୁ ଅପର ପକ୍ଷେ ଅନେକ ସଂଗଠନ ତଥା ବ୍ୟକ୍ତି ମାନେ ମତେ ପରିବର୍ତ୍ତନ ନ କରିବା ପାଇଁ ମଧ୍ୟ ଦାବୀ କରୁଥିବା ବିଷୟ ବିଭିନ୍ନ ଗଣମାଧ୍ୟମରୁ ଜାଣିବାକୁ ପାଇଛି, ମୁଁ ଏକ କଳାକାର ଅଭିନୟ ଦ୍ବାରା ଲୋକମାନଙ୍କୁ ମନୋରଞ୍ଜନ କରିବା ମୋର ପେଶା । ତେଣୁ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ମାନଙ୍କ ଦ୍ବାରା ସୃଷ୍ଟି କରାଯାଇଥିବା ବିବାଦ ମତେ ମାନସିକ ଅଶାନ୍ତି ମିଳିଛି ।
ଏଣୁ ମୁଁ ଆସନ୍ତା ବର୍ଷ ୨୦୨୬-୨୦୨୭ ଗୋଟିଏ ବର୍ଷ ପାଇଁ ଅବ୍ୟାହୁତି ନେଉଛି । ଭବିଷ୍ୟତରେ ଯେତେବେଳେ ଧନୁଯାତ୍ରା ମହୋତ୍ସବ ସମିତି ମତେ ପୁଣି ଥରେ ଅଭିନୟ କରିବାପାଇଁ ସୁଯୋଗ ଦେବେ ମୁଁ ସାଦରେ ଗ୍ରହଣ କରିବି ।
ସୂଚନା ଥାଉକି ୨୦୨୫ ନଭେମ୍ବର ମାସରେ ୪୪ ଜଣ ଆବେଦନକାରୀଙ୍କ ମଧ୍ୟରୁ କଠିନ ଅଡିସନ ପ୍ରକ୍ରିୟା ଦେଇ ତାଙ୍କୁ ଏହି ସମ୍ମାନଜନକ ଭୂମିକା ପାଇଁ ବଛାଯାଇଥିଲା। କଂସ ଭୂମିକାରେ ତାଙ୍କ ଅଭିନୟ ଏବଂ ଶୈଳୀକୁ ନେଇ କିଛି ଦିନ ହେବ ଦର୍ଶକ ଓ ସମିତି ମଧ୍ୟରେ ବିବାଦ ଓ ଆଲୋଚନା ତେଜିଥିଲା। କିଛି ସଂଗଠନ ତାଙ୍କ ସପକ୍ଷରେ ବାହାରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ପରିଶେଷରେ ସେ ନିଜେ ଏହି ଭୂମିକା ଛାଡ଼ିବାକୁ ଶ୍ରେୟସ୍କର ମଣିଛନ୍ତି।
ତାଙ୍କର ଏହି ନିଷ୍ପତ୍ତି ପରେ ଆଗାମୀ ଧନୁଯାତ୍ରା ପାଇଁ ନୂଆ କଂସ ଚୟନ ନେଇ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ଆଗକୁ ପଦକ୍ଷେପ ଗ୍ରହଣ କରିବ ।