ରାଜ୍ୟରେ ମହିଳା ଓ ନାବାଳିକାଙ୍କ ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ। ସୁନ୍ଦରଗଡ଼ ଓ ରାଜଧାନୀ ଭୁବନେଶ୍ୱରରୁ ଆସିଛି ଦୁଇଟି ଦୁଷ୍କର୍ମ ଅଭିଯୋଗ। ସୁନ୍ଦରଗଡ଼ର ଧରୁଆଡିହି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହିପରି ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ଧରି ଯୌନ ନିର୍ଯାତନା ଦେବା ଅଭିଯୋଗରେ ତାଙ୍କ ସମ୍ପର୍କୀୟ ଦାଦାଙ୍କୁ ଗିରଫ କରିଛି ମହିଳା ଥାନା ପୁଲିସ।
ସୁନ୍ଦରଗଡ଼ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
ସୁନ୍ଦରଗଡ଼ ପୁଲିସ ଜିଲ୍ଲା ଅନ୍ତର୍ଗତ ଧରୁଆଡିହି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ନାବାଳିକାଙ୍କୁ ଏକୁଟିଆ ପାଇ ମେଢ଼ା ଅଞ୍ଚଳର ଜଣେ ଯୁବକ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲେ। ଘଟଣା ପରେ ପୀଡ଼ିତା ନିଜ ପରିବାରକୁ ଏ ସମ୍ପର୍କରେ ଜଣାଇଥିଲେ।
ପରେ ପରିବାର ଲୋକେ ରାତିରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ପକ୍ସୋ (POCSO) ଆଇନ ସମେତ ଅନ୍ୟାନ୍ୟ ଦଫାରେ ମାମଲା ରୁଜୁ କରିଥିଲା। ଏତଲା ଦେବାର କିଛି ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତଙ୍କୁ ଧରିଥିବା ସୂଚନା ମିଳିଛି। ଆବଶ୍ୟକ ଆଇନଗତ ପ୍ରକ୍ରିୟା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ।
ଭୁବନେଶ୍ୱରରେ ସମ୍ପର୍କୀୟ ଦାଦା ଗିରଫ
ଅନ୍ୟପଟେ, ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦୁଷ୍କର୍ମ ଅଭିଯୋଗରେ ଜଣେ ସମ୍ପର୍କୀୟ ଦାଦାଙ୍କୁ ଗିରଫ କରିଛି ମହିଳା ଥାନା ପୁଲିସ। ପୀଡ଼ିତାଙ୍କ ଲିଖିତ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲା।
ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଦୀର୍ଘ ଦିନ ଧରି ଯୁବତୀଙ୍କୁ ନିଜ ପାଖରେ ରଖି ତାଙ୍କ ସହ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖୁଥିଲେ। ଏହା ପରେ ପୀଡ଼ିତା ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାର ସମସ୍ତ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।