ମାନସା: ନିଶା ବିରୋଧରେ ଅଭିଯାନ ଚଳାଇଥିଲେ, ହେଲେ ନିଜେ ପାଲଟିଗଲେ ଗୁଳିର ଶିକାର। ମେଡିକାଲ ଷ୍ଟୋରରେ ନିଶା ଔଷଧ ବିକ୍ରି ହେଉଥିବା ଅଭିଯୋଗ ଆଣି ଦୋକାନୀଙ୍କୁ ପ୍ରଶ୍ନ କରୁଥିଲେ ସାମାଜିକ କର୍ମୀ। ଚାଲିଥିଲା ଫେସବୁକ୍ ଲାଇଭ୍। ହଠାତ୍ ଯୁକ୍ତିତର୍କ ଉଗ୍ର ରୂପ ନେବାରୁ ଦୋକାନୀ ଗୁଳି ଚଳାଇଥିଲେ। ଆଖି ପିଛୁଳାକେ ଚାଲିଗଲା ଜୀବନ। ପଞ୍ଜାବର ମାନସାରେ ଘଟିଥିବା ଏହି ହତ୍ୟାକାଣ୍ଡ ଚର୍ଚ୍ଚାର ବିଷୟ ପାଲଟିଛି।
ମୃତକ ହେଉଛନ୍ତି ପରବିନ୍ଦର ସିଂହ ଝୋଟା। ସେ ବିଭିନ୍ନ ମେଡିକାଲ ଷ୍ଟୋରରେ ବେଆଇନ ଭାବେ ନିଶାଯୁକ୍ତ ଔଷଧ ବିକ୍ରି ହେଉଥିବା ଘଟଣାକୁ ସାମ୍ନାକୁ ଆଣୁଥିଲେ। ମଙ୍ଗଳବାର ମାନସାର ଏକ ମେଡିକାଲ ଷ୍ଟୋର ବାହାରେ ସେ ଦୋକାନୀଙ୍କୁ ଏନେଇ ପ୍ରଶ୍ନ କରୁଥିବା ସମୟରେ ନିଜ ଫେସବୁକ୍ ଆକାଉଣ୍ଟରେ ଲାଇଭ୍ କରୁଥିଲେ।
ପ୍ରାୟ ପାଞ୍ଚ ମିନିଟ୍ର ଭିଡିଓରେ ଝୋଟାଙ୍କ ସହ ଜଣେ ବୟସ୍କ ବ୍ୟକ୍ତି ଦେଖାଯାଇଥିଲେ। ସେ ଦୋକାନରୁ ନିଶା ଔଷଧ କିଣିଥିବା ଝୋଟା ଦାବି କରିଥିଲେ। ଏହାକୁ ନେଇ ଦୋକାନୀ ଓ ଝୋଟାଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଭିଡିଓରେ ଦୋକାନୀଙ୍କ ହାତରେ ପିସ୍ତଲ ଥିବା ମଧ୍ୟ ଦେଖାଯାଇଥିଲା।
ଝୋଟା ଦୋକାନୀଙ୍କୁ ସିସିଟିଭି ଫୁଟେଜ୍ ଦେଖାଇବାକୁ କହିବା ସହ ପୁଲିସକୁ ଡାକିବା ପାଇଁ ନିଜ ସହଯୋଗୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାୟ ଚାରି ମିନିଟ୍ ଧରି ବିବାଦ ଚାଲିବା ପରେ ଦୋକାନୀ ଗୁଳି ଚଳାଇଥିଲେ। ଫଳରେ ଝୋଟାଙ୍କ ମୃତ୍ୟୁ ହୋଇଥିଲା। ଘଟଣାରେ ହତ୍ୟାର ପ୍ରକୃତ ପରିସ୍ଥିତି ଓ ଅନ୍ୟାନ୍ୟ ତଥ୍ୟକୁ ନେଇ ଅଧିକ ସୂଚନା ଅପେକ୍ଷା କରାଯାଇଛି। ନିଶା ଔଷଧର ବେଆଇନ ବିକ୍ରିକୁ ନେଇ ଉଠିଥିବା ବିବାଦ ଏବେ ଏକ ହତ୍ୟାକାଣ୍ଡର ରୂପ ନେଇଛି।