ବଲାଙ୍ଗୀର ଜିଲ୍ଲାରେ ହାତୀକୁ ନେଇ ଆଉ ଏକ ଅଘଟଣ। କୂଅରେ ପଡ଼ିଗଲା ହାତୀ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ବନ ବିଭାଗ। ଦୀର୍ଘ ସମୟର ଉଦ୍ୟମ ପରେ ହାତୀଟିକୁ କୂଅରୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ମୁରିବାହାଲ ରେଞ୍ଜ ଅନ୍ତର୍ଗତ ହୀରାପୁର ଗାଁ ନିକଟରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ହୀରାପୁର ଗାଁ ନିକଟରେ ଏକ କୂଅରେ ହାତୀଟି ପଡ଼ିଯାଇଥିଲା। ଏହା ଜଣାପଡ଼ିବା ପରେ ହାତୀକୁ ଉଦ୍ଧାର କରିବା ପାଇଁ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଦୀର୍ଘ ସମୟ ଧରି ଉଦ୍ଧାର କାର୍ଯ୍ୟ ଚାଲିବା ପରେ ଶେଷରେ ହାତୀଟିକୁ କୂଅରୁ ବାହାର କରାଯାଇଥିଲା।
ଏପଟେ ମୁରିବାହାଲ ରେଞ୍ଜର ବିଭିନ୍ନ ଗାଁରେ ହାତୀପଲଙ୍କ ଉପଦ୍ରବ ଚିନ୍ତା ବଢ଼ାଇଛି। ଗତ ଦୁଇ ବର୍ଷ ଧରି ଏହି ଅଞ୍ଚଳରେ ପ୍ରାୟ ୫୦ଟି ହାତୀଙ୍କ ଏକ ପଲ ଘୂରି ବୁଲୁଛନ୍ତି। ହାତୀପଲ ଗାଁ ନିକଟକୁ ଆସି ଲୋକଙ୍କ ଧାନ ଫସଲ ଖାଇବା ସହ ଘରଦ୍ୱାର ଭାଙ୍ଗୁଥିବା ଅଭିଯୋଗ ହେଉଛି।
ହାତୀପଲଙ୍କୁ ଜଙ୍ଗଲ ଭିତରକୁ ଫେରାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି। ତେବେ ଜନବସତି ନିକଟରେ ହାତୀଙ୍କ ଗତିବିଧି ଏବଂ ଏଭଳି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ିଛି।