ଟେକ୍ନୋଲୋଜିର ପ୍ରକୃତ ଶକ୍ତି କେବଳ କ୍ଷମତା ହାସଲ କରିବାରେ ନୁହେଁ, ବରଂ ଲୋକଙ୍କୁ ସଶକ୍ତ କରିବାରେ ରହିଛି। ଡିଜିଟାଲ୍ ପେମେଣ୍ଟ UPIଠାରୁ ଆରମ୍ଭ କରି ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ଉଦାହରଣ ଦେଇ ଏହି ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତର ରାଜଧାନୀ ଦିଲ୍ଲୀରେ ଆୟୋଜିତ ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମ୍ରେ ଯୋଗଦେଇ ‘ପାୱାର ଟୁ ଏମ୍ପାୱାର’ ଚିନ୍ତାଧାରା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
ମୋଦୀ କହିଛନ୍ତି, ଆଜିର ସମୟରେ ଟେକ୍ନୋଲୋଜି, ଡାଟା, ଜ୍ଞାନ ଓ ନୂଆ ଉଦ୍ଭାବନ ହେଉଛି ଶକ୍ତିର ପ୍ରମୁଖ ମାଧ୍ୟମ। କିନ୍ତୁ ଏହାର ଲାଭ କେବଳ ଅଳ୍ପ କିଛି ଲୋକଙ୍କ ମଧ୍ୟରେ ସୀମିତ ରହିବା ଉଚିତ୍ ନୁହେଁ। ଏହା ଦ୍ୱାରା କୋଟି କୋଟି ଲୋକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବା ଦରକାର।
ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିପାଇଁ ସମାଜର ଚିନ୍ତାଧାରାରେ ପରିବର୍ତ୍ତନ ଜରୁରୀ। ନିୟନ୍ତ୍ରଣ ବଦଳରେ ସଶକ୍ତୀକରଣ, ପ୍ରତିଯୋଗିତା ବଦଳରେ ସହଯୋଗ ଏବଂ କେବଳ ନିଜ ସଫଳତା ବଦଳରେ ଅନ୍ୟମାନଙ୍କୁ ସଫଳ କରିବା ଉପରେ ଧ୍ୟାନ ଦେବା ଆବଶ୍ୟକ। ଶକ୍ତିର ପ୍ରକୃତ ମୂଲ୍ୟ ଏହାର ଉଦ୍ଦେଶ୍ୟ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି।
UPI ଭାରତର ଅନ୍ତର୍ଭୁକ୍ତିମୂଳକ ଟେକ୍ନୋଲୋଜିର ଉଦାହରଣ
ଭାରତର ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା UPIର ଉଦାହରଣ ଦେଇ ମୋଦୀ କହିଛନ୍ତି, ଜଣେ ରାସ୍ତାକଡ଼ ଦୋକାନୀ ଓ ଏକ ବଡ଼ କାର୍ ଶୋ’ରୁମ୍ ଭିନ୍ନ ଭିନ୍ନ ସ୍ତରରେ ବ୍ୟବସାୟ କରୁଥିଲେ ମଧ୍ୟ ଉଭୟ ଏକା ପ୍ଲାଟଫର୍ମରେ ଡିଜିଟାଲ୍ କାରବାର କରିପାରୁଛନ୍ତି। ଏହା ହିଁ ସମସ୍ତଙ୍କୁ ସୁଯୋଗ ଦେଉଥିବା ଟେକ୍ନୋଲୋଜିର ଶକ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ବିଦେଶୀ ପ୍ରତିନିଧିମାନଙ୍କୁ ଭାରତର ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ନିଜେ ବ୍ୟବହାର କରି ଦେଖିବାକୁ ଆମନ୍ତ୍ରଣ କରିଛନ୍ତି ମୋଦୀ।
ଉଲ୍ଲେଖଯୋଗ୍ୟ, ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମ୍ ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହୋଇଛି। ଏହି ମଞ୍ଚରେ ଟେକ୍ନୋଲୋଜିର ବ୍ୟବହାର, ଅର୍ଥନୈତିକ ବିକାଶ ଓ ସାଧାରଣ ଲୋକଙ୍କ ସଶକ୍ତୀକରଣ ଉପରେ ମୋଦୀଙ୍କ ମତ ଗୁରୁତ୍ୱ ପାଇଛି।