ଭୁବନେଶ୍ୱର: ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଆୟୋଜିତ CII Eastern Regional Council Meeting 2026ରେ ‘Go East’ ପ୍ଲାଟଫର୍ମର ଶୁଭାରମ୍ଭ କରିବା ସହ ଶିଳ୍ପନୀତି IPR-2022ରେ ବଡ଼ ସଂଶୋଧନ ଘୋଷଣା କରିଛନ୍ତି।
‘Go East’ର ଅର୍ଥ ହେଉଛି Government of Odisha Eastern Investment Accelerator and Special Task Force। ଏହି ନୂଆ ପଦକ୍ଷେପ ମାଧ୍ୟମରେ ପୂର୍ବ ଓ ଉତ୍ତର-ପୂର୍ବ ଭାରତରୁ ଅଧିକ ପୁଞ୍ଜିନିବେଶ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିରେ ନିବେଶକଙ୍କୁ ଶୀଘ୍ର ଅନୁମୋଦନ, ସରକାରୀ ସହଯୋଗ ଏବଂ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ସହଜ ସୁବିଧା ମିଳିବ। ଅନ୍ୟ ରାଜ୍ୟରେ ମୂଳ କାର୍ଯ୍ୟାଳୟ ରଖିଥିଲେ ମଧ୍ୟ ଓଡ଼ିଶାରେ ଶିଳ୍ପ ବିସ୍ତାର କରିବାକୁ କମ୍ପାନୀମାନଙ୍କୁ ପ୍ରୋତ୍ସାହନ ଦିଆଯିବ।
ଏହି ଯୋଜନାକୁ ସଫଳ କରିବା ପାଇଁ ସ୍ପେଶାଲ ଟାସ୍କ ଫୋର୍ସ, IPICOLରେ ଏକ ସ୍ୱତନ୍ତ୍ର Go East Cell ଏବଂ Go Swift ଡିଜିଟାଲ ମଡ୍ୟୁଲ୍ ଗଠନ କରାଯିବ। ଏହା ମାଧ୍ୟମରେ ଶିଳ୍ପ ପ୍ରକଳ୍ପର ଅନୁମୋଦନ ଓ କାର୍ଯ୍ୟର ଅଗ୍ରଗତିକୁ ରିଅଲ୍-ଟାଇମରେ ନଜର ରଖାଯିବ। ବିଶେଷ କରି ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ନୂଆ ଶିଳ୍ପ କେନ୍ଦ୍ର ଗଢ଼ି ଉଠିବା ସହ ରୋଜଗାରର ସୁଯୋଗ ବଢ଼ିବ।
ମୁଖ୍ୟମନ୍ତ୍ରୀ ଶିଳ୍ପନୀତି IPR-2022ରେ ସଂଶୋଧନ କରି ରାଜ୍ୟର ୧୫ଟି ଆର୍ଥିକ ଦୃଷ୍ଟିରୁ ପଛୁଆ ଜିଲ୍ଲାକୁ ‘Thrust Sector’ ମାନ୍ୟତା ଦେବା ଘୋଷଣା କରିଛନ୍ତି। ଏଥିରେ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବୌଦ୍ଧ, ଗଜପତି ସମେତ ୧୫ଟି ଜିଲ୍ଲା ସାମିଲ ରହିଛି। ଏହି ଅଞ୍ଚଳରେ ଖଣିଜ ଭିତ୍ତିକ ଶିଳ୍ପ ବଦଳରେ ଅନ୍ୟାନ୍ୟ ଶିଳ୍ପ ସ୍ଥାପନକୁ ପ୍ରାଥମିକତା ଦିଆଯିବ।
ଶାସନ ବ୍ୟବସ୍ଥାରେ ସଂସ୍କାର ଆଣି ଶିଳ୍ପ ପ୍ରକଳ୍ପ ଅନୁମୋଦନ ସମୟ ପ୍ରାୟ ୪୦୦ ଦିନରୁ କମି ୧୬୦ ଦିନ ମଧ୍ୟରେ ସୀମିତ କରାଯାଇଛି। ଆଗାମୀ ଦିନରେ ଏହାକୁ ୧୦୦ ଦିନରୁ କମ୍ କରିବା ଲକ୍ଷ୍ୟ ରହିଛି। ଜୁନ୍ ୨୦୨୪ ପରଠାରୁ ରାଜ୍ୟରେ ୪୭୭ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି, ଯାହାର ମୋଟ ପୁଞ୍ଜିନିବେଶ ପ୍ରାୟ ୯.୫ ଲକ୍ଷ କୋଟି ଟଙ୍କା। ଏହା ମାଧ୍ୟମରେ ପ୍ରାୟ ୬ ଲକ୍ଷ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହେବାର ସମ୍ଭାବନା ରହିଛି। ସେଥିମଧ୍ୟରୁ ୩.୧୧ ଲକ୍ଷ କୋଟି ଟଙ୍କାର ୧୨ଟି ବଡ଼ ପ୍ରକଳ୍ପ ଖୁବ୍ ଶୀଘ୍ର ଉଦ୍ଘାଟନ ପାଇଁ ପ୍ରସ୍ତୁତ ହେଉଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ସମୃଦ୍ଧ ଓଡ଼ିଶା-୨୦୩୬’ ଏବଂ ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟକୁ ସାକାର କରିବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।