ଭୁବନେଶ୍ୱର: ଓଡ଼ିଶାକୁ ଦେଶର ଏକ ପ୍ରମୁଖ କେମିକାଲ୍ ଓ ପେଟ୍ରୋକେମିକାଲ୍ ହବ୍ରେ ପରିଣତ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ପ୍ରୟାସ। ଏହି ଲକ୍ଷ୍ୟ ନେଇ ମୁମ୍ବାଇରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇଦିନିଆ ଗସ୍ତ ଅବସରରେ ସେ ଦେଶ-ବିଦେଶର ଶିଳ୍ପପତି ଓ ନିବେଶକଙ୍କ ସହ ଆଲୋଚନା କରି ଓଡ଼ିଶାରେ ନୂଆ ଶିଳ୍ପ ପ୍ରତିଷ୍ଠା ଏବଂ ଅଧିକ ପୁଞ୍ଜିନିବେଶ ପାଇଁ ପ୍ରୟାସ କରିବେ।
ମୁମ୍ବାଇର ଗୋରେଗାଓଁସ୍ଥିତ NESCOରେ ଅକ୍ଟୋବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି ‘ଇଣ୍ଡିଆ କେମ୍ ୨୦୨୬’। ଏହି ଜାତୀୟସ୍ତରୀୟ କେମିକାଲ୍ ଓ ପେଟ୍ରୋକେମିକାଲ୍ ପ୍ରଦର୍ଶନୀ ଏବଂ ସମ୍ମିଳନୀରେ ୧୦୦ରୁ ଅଧିକ ଦେଶର ଶିଳ୍ପପତି, ନୀତି ନିର୍ଦ୍ଧାରକ ଓ ନିବେଶକ ଯୋଗ ଦେଉଛନ୍ତି। ଏହାର ଉଦ୍ଘାଟନୀ ଅଧିବେଶନ ସହ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା CEO ରାଉଣ୍ଡଟେବୁଲ୍ରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେବେ।
୨୦ରୁ ଅଧିକ କମ୍ପାନୀ ସହ ଆଲୋଚନା
ଓଡ଼ିଶାରେ ନୂଆ ପୁଞ୍ଜିନିବେଶ ଆଣିବା ଏହି ଗସ୍ତର ପ୍ରମୁଖ ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀ ୨୦ରୁ ଅଧିକ ପ୍ରମୁଖ କମ୍ପାନୀର ପ୍ରତିନିଧିଙ୍କ ସହ ପୃଥକ୍ ଭାବେ ଆଲୋଚନା କରିବେ। ନୂଆ ଶିଳ୍ପ ପ୍ରତିଷ୍ଠା, ଚାଲୁଥିବା ଶିଳ୍ପର ସମ୍ପ୍ରସାରଣ, ଡାଉନ୍ଷ୍ଟ୍ରିମ୍ ମାନୁଫାକ୍ଚରିଂ ଏବଂ ନୂଆ ବ୍ୟବସାୟିକ ସୁଯୋଗ ଉପରେ ଗୁରୁତ୍ୱ ଦିଆଯିବ।
ଏହି ଅବସରରେ ଓଡ଼ିଶାର ଶିଳ୍ପ ଭିତ୍ତିଭୂମି, ଅନୁକୂଳ ଶିଳ୍ପନୀତି, ପ୍ରାକୃତିକ ସମ୍ପଦ ଓ ବନ୍ଦର ସୁବିଧାକୁ ନିବେଶକଙ୍କ ସାମ୍ନାରେ ରଖାଯିବ। କୋଇଲା ଗ୍ୟାସିଫିକେସନ୍ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ଉପସ୍ଥାପନା କରାଯିବ। ଏଥିସହ କେମିକାଲ୍, ପେଟ୍ରୋକେମିକାଲ୍, ପ୍ଲାଷ୍ଟିକ୍ ଓ ପ୍ୟାକେଜିଂ ଶିଳ୍ପକୁ ନେଇ ଏକ ବୃହତ୍ ସ୍ୱତନ୍ତ୍ର ଶିଳ୍ପ ପାର୍କ ପ୍ରତିଷ୍ଠା ନେଇ ଯୋଜନା ଘୋଷଣା ହେବାର ସମ୍ଭାବନା ରହିଛି।
୧.୯୩ ଲକ୍ଷ କୋଟିର ପ୍ରସ୍ତାବିତ ନିବେଶ
ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ଗତ ଦୁଇବର୍ଷ ମଧ୍ୟରେ ଓଡ଼ିଶାର କେମିକାଲ୍ ଓ ପେଟ୍ରୋକେମିକାଲ୍ କ୍ଷେତ୍ରରେ ୫୬ଟି କମ୍ପାନୀ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକର ପ୍ରସ୍ତାବିତ ନିବେଶ ପରିମାଣ ୧,୯୩,୦୮୭.୯୪ କୋଟି ଟଙ୍କା ରହିଥିବା ବେଳେ ୧,୧୨,୩୨୪ ଜଣଙ୍କ ପାଇଁ ନିଯୁକ୍ତି ସମ୍ଭାବନା ରହିଛି।
ଏଥିମଧ୍ୟରୁ ୨୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କିମ୍ବା ଉଦ୍ଘାଟନ ହୋଇସାରିଛି। ଏହି ପ୍ରକଳ୍ପଗୁଡ଼ିକରେ ୬୦,୮୨୫.୩୪ କୋଟି ଟଙ୍କାର ନିବେଶ ଏବଂ ୩୫,୩୫୧ ଜଣଙ୍କ ପାଇଁ ନିଯୁକ୍ତି ସମ୍ଭାବନା ରହିଛି। ନିକଟରେ ଯାଜପୁରରେ ୯ଟି ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏଥିରେ ୪,୧୩୬ କୋଟି ଟଙ୍କାର ନିବେଶ ସହ ୧,୫୦୮ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆକଳନ କରାଯାଇଛି।
ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା କହିଛନ୍ତି, ଇଣ୍ଡିଆ କେମ୍ ୨୦୨୬ରେ ଯୋଗଦେବା ଦ୍ୱାରା ପ୍ରମୁଖ କମ୍ପାନୀଗୁଡ଼ିକ ସହ ସିଧାସଳଖ ଆଲୋଚନା କରିବା, ଓଡ଼ିଶାର ନିବେଶ ସୁଯୋଗ ଉପସ୍ଥାପନ କରିବା ଏବଂ ଭବିଷ୍ୟତର ବିକାଶ ପାଇଁ ସହଭାଗିତା ଗଢ଼ିବାର ସୁଯୋଗ ମିଳିବ।
ଖଣିଜ ସମ୍ପଦ ଓ ଇସ୍ପାତ ଶିଳ୍ପ ପାଇଁ ପରିଚିତ ଓଡ଼ିଶା ଏବେ କେମିକାଲ୍ ଓ ପେଟ୍ରୋକେମିକାଲ୍ କ୍ଷେତ୍ରରେ ମଧ୍ୟ ନିଜର ସ୍ଥିତି ମଜବୁତ କରିବାକୁ ଚାହୁଁଛି। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କେତେ ନୂଆ ନିବେଶ ଓ ଶିଳ୍ପ ପ୍ରକଳ୍ପରେ ପରିଣତ ହେଉଛି, ଏବେ ତାହା ଉପରେ ନଜର ରହିବ।