କୋରାପୁଟ: କୋରାପୁଟବାସୀଙ୍କ ପାଇଁ ଆସିଛି ଖୁସି ଖବର । ଜଗା ଦର୍ଶନ ପାଇଁ ଫିଟିଲା ବାଟ, ସାବର ଶ୍ରୀକ୍ଷେତ୍ରରୁ ଶ୍ରୀକ୍ଷେତ୍ରକୁ ଗଡ଼ିବ ଟ୍ରେନ । ଦୀର୍ଘ ଦିନର ଦାବି ପରେ ଶେଷରେ ସାବର ଶ୍ରୀକ୍ଷେତ୍ର କୋରାପୁଟରୁ ଶ୍ରୀକ୍ଷେତ୍ର ପୁରୀକୁ ଯୋଡିହେବ ସ୍ଵତନ୍ତ୍ର ଟ୍ରେନ । ଏହି ଟ୍ରେନ୍ ଚଳାଚଳ ଫଳରେ ଏବେ କୋରାପୁଟବାସୀଙ୍କ ଯାତାୟତ ସମସ୍ୟା ଦୂର ହେବା ସହ ଜଗନ୍ନାଥ ଦର୍ଶନ ପାଇଁ ଯାତ୍ରା ହେବ ସହଜ ।
ଦୀର୍ଘ ଦିନ ଧରି କୋରାପୁଟବାସୀ ଦାବି କରୁଥିଲେ ସିଧାସଳଖ ପୁରୀକୁ ଟ୍ରେନ୍ ସେବା ପାଇଁ । କାରଣ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯିବାକୁ ଯାତ୍ରୀମାନଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଟ୍ରେନ୍ ବଦଳାଇବା ସହ ଦୀର୍ଘ ସମୟର ଯାତ୍ରା ଯାତ୍ରୀଙ୍କୁ ଅସୁବିଧାରେ ପକାଉଥିଲା କିନ୍ତୁ ଏବେ ସେହି ସମସ୍ୟାର ଅନ୍ତ ହୋଇଛି । ସାବର ଶ୍ରୀକ୍ଷେତ୍ର ଭାବେ ପରିଚିତ କୋରାପୁଟରୁ ଶ୍ରୀକ୍ଷେତ୍ର ପୁରୀକୁ ଆରମ୍ଭ ହୋଇଛି ସିଧାସଳଖ ଟ୍ରେନ୍ ସେବା । ଏହା ଫଳରେ କୋରାପୁଟ ସହ ଦକ୍ଷିଣ ଓଡ଼ିଶାର ହଜାର ହଜାର ଲୋକ ଉପକୃତ ହେବେ । ସବୁଠାରୁ ବଡକଥା କି ରାଜ୍ୟ ରାଜଧାନୀକୁ ମଧ୍ୟ ହିରାଖଣ୍ଡ ଏକ୍ସପ୍ରେସ ବ୍ୟତିତ ଆଉ ଏକ ଦ୍ୱିତୀୟ ଟ୍ରେନ ସଂଯୋଗ ପାଇଁ ମଧ୍ୟ ଦାବି ବେସ ଜୋର ଧରିଥିଲ। ବର୍ତମାନ ଏହି ନୂତନ ଟ୍ରେନ ଏବେ ଏହି ସମସ୍ୟାର ଗୋଟେ ପ୍ରକାର ଅନ୍ତ ଘଟାଇଛି । ବର୍ତମାନ ଏହି ଟ୍ରେନ କୋରାପୁଟ ବଦଳରେ ଯଦି ଜୟପୁର ସହରକୁ ସମ୍ପ୍ରସାରଣ ହୁଏ ତେବେ ନିହାତି ଭାବରେ କୋରାପୁଟ ସମେତ ପଡୋଶୀ ଜିଲ୍ଲା ମାଲକାନଗିରି ଓ ନବରଙ୍ଗପୁର ବାସୀମାନେ ମଧ୍ୟ ବେସ ଲାଭବାନ ହୋଇ ପାରିବେ ବୋଲି ସ୍ଥାନୀୟ ବାସିନ୍ଦାମାନେ ମତ ପ୍ରକାଶ କରିଛନ୍ତି |
ନୂଆ ଟ୍ରେନ୍ ସେବାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଭାରି ଉତ୍ସାହ । ବିଶେଷ କରି ଜଗନ୍ନାଥ ପ୍ରେମୀ ଓ ବ୍ୟବସାୟୀମାନେ ଏହାକୁ ସ୍ୱାଗତ କରିଛନ୍ତି । ଏହି ଟ୍ରେନ୍ ଚଳାଚଳ ଫଳରେ ପର୍ଯ୍ୟଟନ ଓ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଆସିବ ବୋଲି ଆଶା କରାଯାଉଛି । ସବୁଠାରୁ ବଡକଥା କି ଅନେକ ଦିନ ଧରି ଯାତ୍ରୀମାନେ ଏହି ପୁରୀ ଟ୍ରେନ ପାଇଁ ଦାବି କରି ଆସୁଥିଲେ ଯାହାକୁ ନଜରରେ ରଖି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋରାପୁଟ ଭଳି ପର୍ଯ୍ୟଟନ ସ୍ଥାନକୁ ଯୋଗାଯୋଗର ସୁବିଧା ପାଇଁ ଏହି ଟ୍ରେନକୁ ଆରମ୍ଭ କରିଛନ୍ତି | ଏହି ଟ୍ରେନ କୋରାପୁଟରୁ ସକାଳ 5 ଟା ରେ ବାହାରି ରାତି 10.20 ରେ ପୁରୀରେ ପହଞ୍ଚିବ । ସେହିଭଳି ପୁରୀରୁ ସକାଳ 7 ଟାରେ ବାହାରି ରାତି 11.30 ରେ ପହଞ୍ଚିବ | କୋରାପୁଟ ସମେତ ପଶ୍ଚିମ ଓଡିଶାର ଅନେକ ଜିଲ୍ଲାକୁ ସଂଯୋଗ କରିବ ଏହି ରେଳ |