ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ମୋକିଆ ଗାଁରେ ଅଭାବନୀୟ ଘଟଣା । ଏକ କାଜୁ ବାଡ଼ିରୁ ଜଣେ ବିବାହିତ ପୁରୁଷ ଏବଂ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ହେଲେ ମୋକିଆ ଗାଁର ପବିତ୍ର ଭତରା । ତାଙ୍କ ସହିତ ନାବାଳିକା ରହିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ପ୍ରାଥମିକ ତଦନ୍ତ ପରେ ପୋଲିସ ସ୍ପଷ୍ଟ କରିଛନ୍ତି ।
ପବିତ୍ର ଗତକାଲି ରାତିରେ ଘରେ ଥିଲେ। ସେପଟେ ନାବାଳିକା ଜଣକ ଭୋର ସମୟରୁ ଘରେ ନ ଥିବା ଜଣାପଡ଼ିଥିଲା। ପରିବାର ଲୋକେ ଖୋଜାଖୋଜି କରୁଥିବା ବେଳେ, ସକାଳେ କିଛି ଗ୍ରାମବାସୀ କାଜୁ ବାଡ଼ିରେ ଉଭୟଙ୍କ ମୃତ ଦେହ ଗୋଟିଏ ଝୁଲୁଥିବା ଅବସ୍ଥାରେ ଦେଖି ପରିବାରକୁ ଜଣାଇଥିଲେ। ଖବର ପାଇ ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରିଛି ।
ପ୍ରାଥମିକ ତଦନ୍ତରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ସୂଚନା ମିଳିଛି। ପବିତ୍ରଙ୍କ ବିବାହ ପ୍ରାୟ ୪ ମାସ ପୂର୍ବରୁ ଅନ୍ୟ ଜଣେ ଯୁବତୀଙ୍କ ସହ ହୋଇଥିଲା । କିନ୍ତୁ ନାବାଳିକାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟଙ୍କ ପରିବାର ଏହାକୁ ବିରୋଧ କରୁଥିଲେ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟ୍ ଗୁଡ଼ାରା ହେମ୍ରମ୍ ପହଞ୍ଚି ତଦନ୍ତ କରିଛନ୍ତି। ମୃତ୍ୟୁର ପ୍ରକୃତ କାରଣ ସହ ଘଟଣାର ସମସ୍ତ ଦିଗ ନେଇ ପାପଡାହାଣ୍ଡି ପୋଲିସ ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ନେଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।