କଳାହାଣ୍ଡି: କଳାହାଣ୍ଡି ମାଟିରୁ ବିଶ୍ୱ ଦରବାରରେ ନୂଆ ପରିଚୟ । ନିଜର ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ଦକ୍ଷତା ବଳରେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ନାଁ ଲେଖାଇଛନ୍ତି କଳାହାଣ୍ଡିର ସତ୍ୟପୀର ପଧାନ । ମାର୍ଶଲ ଆର୍ଟରେ ଏକ ମିନିଟରେ ଏକ କିଲୋ ଓଜନରେ ଫୁଲ୍ ହ୍ୟାଣ୍ଡ ଏକ୍ସଟେନ୍ସନ୍ ପଞ୍ଚ ବା ମୁଥ ମାରି ବିଶ୍ୱ ରେକର୍ଡ କରିଛନ୍ତି ସତ୍ୟପୀର । ଯାହା ପାଇଁ କଳାହାଣ୍ଡି ଜିଲ୍ଲା ସହିତ ସାରା ଓଡ଼ିଶା ଗର୍ବିତ ।
ଓଡ଼ିଶାର ଏକ ଅନ୍ୟତମ ସମ୍ଭାବନାମୟ ଜିଲ୍ଲା କଳାହାଣ୍ଡି । ଏହି ମାଟିରୁ ଅନ୍ତର୍ଜାତୀୟ ସ୍ତରରେ ଗୌରବ ଆଣିଛନ୍ତି ସତ୍ୟପୀର ପଧାନ । ମାର୍ଶାଲ ଆର୍ଟ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରି ସେ ଗିନିଜ୍ ୱାର୍ଲ୍ଡ ରେକର୍ଡ ହାସଲ କରିଛନ୍ତି ।
୨୦୨୬ ମାର୍ଚ୍ଚ ୮ ତାରିଖରେ ଭବାନୀପାଟଣାର ଦେଉପୁରରେ ଏହି ରେକର୍ଡ ସୃଷ୍ଟି କରିଥିଲେ ସତ୍ୟପୀର । ଏକ ମିନିଟରେ ଏକ କିଲୋ ଓଜନ ଧରି ୧୮୩ଟି Full-Extension One-Hand Punch Strikes କରି ସେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ।
ସତ୍ୟପୀର ମାର୍ଶାଲ ଆର୍ଟ ସହ ପର୍ବତାରୋହଣରେ ମଧ୍ୟ ତାଙ୍କର ଦକ୍ଷତା ରହିଛି । ଜେଆଇଏମ୍ ଡବ୍ଲ୍ୟୁ ଏସ୍ (JIM & WS) ପହଲଗାମରୁ ପର୍ବତ ଆରୋହଣରେ ଶିକ୍ଷା ଲାଭ କରିଛନ୍ତି । ଏହା ସହିତ ଏଚଏମଆଇ ଦାର୍ଜିଲିଂରୁ ଆଡଭାନ୍ସ ପର୍ବତ ଆରୋହଣ ଶିକ୍ଷା ମଧ୍ୟ ସେ ସମ୍ପୂର୍ଣ୍ଣ କରିଛନ୍ତି ।
କଠିନ ଅଭ୍ୟାସ, ଶୃଙ୍ଖଳିତ ପ୍ରଶିକ୍ଷଣ ଓ ନିଜ ଲକ୍ଷ୍ୟ ପ୍ରତି ଅତୁଟ ନିଷ୍ଠା ହିଁ ତାଙ୍କ ସଫଳତାର ମୁଖ୍ୟ ଆଧାର । କଳାହାଣ୍ଡି ମାଟିର ଏହି ପ୍ରତିଭା ଆଜି ନିଜ ସଫଳତାରେ ଜିଲ୍ଲା ସହ ଓଡ଼ିଶାକୁ ମଧ୍ୟ ଗୌରବାନ୍ୱିତ କରିଛନ୍ତି ।