ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାର କ୍ରିକେଟ୍ ସେମିଫାଇନାଲ ମୁକାବିଲାରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛି । ମାତ୍ର ୯ ଓଭରରେ ମାଟି କାମୁଡ଼ିଛି ଶ୍ରୀଲଙ୍କା ଦଳ । ଗୁରୁବାର ଖେଳାଯାଇଥିବା ସେମି ଫାଇନାଲ ମୁକାବିଲାରେ ମାତ୍ର ୪୫ ରନରେ ଶ୍ରୀଲଙ୍କାକୁ ଅଲଆଉଟ୍ କରି ଫାଇନାଲକୁ ପ୍ରବେଶ କରିଛି ଭାରତ । ଫାଇନାଲରେ ମୁକାବିଲାରେ ସ୍ୱର୍ଣ୍ଣ ପଦକ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ ଦଳ । ତେବେ ଏସୀୟ କ୍ରୀଡ଼ାରେ ଭାରତ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ସୁନିଶ୍ଚିତ କରିଛି ।
ଶ୍ରେୟାସ ଆୟରଙ୍କ ନେତୃତ୍ୱରେ ଦଳ ସେମିଫାଇନାଲରେ ଶ୍ରୀଲଙ୍କାକୁ ଭେଟିଥିଲା । ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ କରିଥିଲା । ବୈଭବ ସୂର୍ୟ୍ୟବଂଶୀ ଏବଂ ଅଭିଷେକ ଶର୍ମା ଓପନିଂ କରିବାକୁ ମଇଦାନକୁ ଓହ୍ଲାଇଥିଲେ । ଆରମ୍ଭରୁ ଆକ୍ରମଣାତ୍ମକ ଶୈଳୀରେ ଖେଳ ଆରମ୍ଭ କରିଥିବା ଶର୍ମା ଅଧିକ ସମୟ ତିଷ୍ଠି ରହିପାରିନଥିଲେ । ମାତ୍ର ୩ଟି ଖେଳି ୭ ରନ୍ କରି ଆଉଟ୍ ହୋଇ ପ୍ରଥମ ଝଟକା ଦେଇଥିଲେ । ଶ୍ରୀଲଙ୍କା କ୍ୟାପଟେନ୍ ସାହନ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ । ଏହା ପରେ ବୈଭବଙ୍କୁ ସାଥ ଦେବାକୁ ଆସିଥିଲେ ସଞ୍ଜୁ ସାମସନ୍ । ସେ ମଧ୍ୟ ନିରାଶ କରିଥିଲେ । ସଞ୍ଜୁ ସାମସନ୍ ମାତ୍ର ୯ଟି ବଲ୍ ୭ ରନରେ କ୍ଲିନ୍ ବୋଲ୍ଡ ହୋଇ ପାଭିଲିୟନ ଫେରିଥିଲେ । ବୈଭବ ଓ ଶ୍ରେୟସ୍ ଆୟର ବ୍ୟାଟିଂ ସମ୍ଭାଳିଥିଲେ । ବୈଭବ ନିଜର ବ୍ୟାଟର ଯାଦୁ ଦେଖାଇଥିଲେ । ସେ ୨୧ ବଲରେ ୩୮ ରନ୍ କରି ସହାନଙ୍କ ବଲରେ ଆଉଟ୍ ହୋଇଥିଲେ । ଯେଉଁଥିରେ ୬ଟି ଚୌକା ଏବଂ ୨ଟି ଛକା ସାମିଲ ଅଛି । ବୈଭବଙ୍କ ପରେ ଆଜିର ମ୍ୟାଚର ହିରୋ ଇଶାନ କିଶାନ ପଡ଼ିଆକୁ ଆସିଥିଲେ । କ୍ୟାପଟେନ୍ ଶ୍ରେୟସ ଆୟର ଆଉ ୧୩ ରନ୍ ଯୋଡ଼ିଥିଲେ, କିନ୍ତୁ ସେ ମଧ୍ୟ ତିଷ୍ଠି ପାରିନଥିଲେ । ମାତ୍ର ୮୭ ରନରେ ଭାରତ ୪ଟି ୱିକେଟ୍ ହରାଇଥିଲା । ସେହିପରି ଅକ୍ଷର ପଟେଲ୍ ୭ ରନ୍, ଶିବମ୍ ଦୁବେ ୩ରନ୍ ଏବଂ ୱାଶିଂଟନ୍ ସୁନ୍ଦର ୭ ରନ୍ କରିବାରେ ସକ୍ଷମ ହୋଇଥିଲେ । ଇଶାନ କିଶାନ ମ୍ୟାଚକୁ ସମ୍ଭାଳିଥିଲେ । ସେ ୩୩ ବଲରେ ଅର୍ଦ୍ଧ ଶତକ କରିଥିଲେ । ଯାହା ଟି-ଟ୍ୱେଣ୍ଟିରେ ତାଙ୍କ ସପ୍ତମ ଅର୍ଦ୍ଧ ଶତକ ଅଟେ । ୪୬ ବଲରେ ୮୦ ରନ୍ କରି ଅପରାଜିତ ରହିଥିଲେ । ଭାରତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୯ ରନ୍ କରି ଶ୍ରୀଲଙ୍କାକୁ ୧୭୦ ରନର ଟାର୍ଗେଟ୍ ଦେଇଥିଲା ।
ଶ୍ରୀଲଙ୍କା ପକ୍ଷରୁ ରତ୍ନାୟାକେ ଏବଂ କ୍ୟାପଟେନ୍ ସାହନ ୨ ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ୱାନୁଜା, ଲାସିଥ ଏବଂ ଫର୍ଣ୍ଣାଣ୍ଡୋ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି ।
ଭାରତ ପାଳି ଶେଷ ପରେ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା । କିନ୍ତୁ ଭାରତୀୟ ବୋଲରଙ୍କ ଧୂଆଁଦାର ବୋଲିଂକୁ ଲଙ୍କା ବ୍ୟାଟର୍ ମାନେ ସାମ୍ନା କରି ପାରିନଥିଲେ । ଶ୍ରୀଲଙ୍କାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟ ଜନକ ରହିଥିଲା । ଯଶପ୍ରୀତ ବୁମରା ସିନେଥ ଜୟବର୍ଦ୍ଧନଙ୍କୁ ଦ୍ୱିତୀୟ ବଲରେ ଆଉଟ୍ କରିଥିଲେ । ଜୟବର୍ଦ୍ଧନ କୌଣସି ବି ରନ୍ କରିପାରିନଥିଲେ । ଏହା ପରେ ଗୋଟିଏ ପରେ ଗୋଟିଏ ୱିକେଟ୍ ପତନ ହୋଇଥିଲା । ଶ୍ରୀଲଙ୍କର ୬ ଜଣ ଖେଳାଳି ଗୋଟିଏ ବି ରନ୍ କରିବାରେ ସକ୍ଷମ ହୋଇନାହାଁନ୍ତି । ସେହିପରି ଫର୍ଣ୍ଣାଣ୍ଡୋ ଏକ ମାତ୍ର ଖେଳାଳି ଭାବେ ଦୁଇ ଅଙ୍କ ବିଶିଷ୍ଟ ରନ୍ କରିଥିଲେ । ସେ ସର୍ବାଧିକ ୧୫ ରନ୍ କରିଛନ୍ତି । ମାତ୍ର ୯.୫ ଓଭରରେ ଶ୍ରୀଲଙ୍କା ମାତ୍ର ୪୫ ରନ୍ କରିବାରେ ସଫଳ ହୋଇଛି । ଫଳରେ ଭାରତ ଏକ ବିଶାଳ ସ୍କୋର୍ ବ୍ୟବଧାନ ୧୨୪ ରନରେ ଶ୍ରୀଲଙ୍କାକୁ ଓରାଇଛି ।
ଭାରତୀୟ ବୋଲରଙ୍କ ମଧ୍ୟରେ ଯଶପ୍ରୀତ ବୁମରା, ଅକ୍ଷର ପଟେଲ୍, ଅଭିଷେକ ଶର୍ମା ୨ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ୱାଶିଂଟନ୍ ସୁନ୍ଦର ଗୋଟିଏ ୱିକେଟ୍ ନେଇଛନ୍ତି ।
ଭାରତ ଫାଇନାଲକୁ ପ୍ରବେଶ କରିଛି । ଭାରତ ଫାଇନାଲରେ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ । ପାକିସ୍ତାନ ବାଂଲାଦେଶକୁ ହରାଇ ଫାଇନାଲକୁ ଆସିଛି । ଆସନ୍ତା ଅକ୍ଟୋବର ୩ ତାରିଖ ଶନିବାର ଦିନ ଫାଇନାଲ ମୁକାବିଲା ହେବ ।