ଦେଶ ପାଇଁ ଶୁଟିଂରେ ପ୍ରଥମ ମେଡାଲ୍ ଜିତିଥିବା ରାଜା ରଣଧୀର ସିଂହ ଆଜି ଏହି ଦୁନିଆରେ ନାହାନ୍ତି, କିନ୍ତୁ ନୀରୁ ଢାଣ୍ଡା ଏବଂ କେନାନ୍ ଚେନାଇଙ୍କ ଯୋଡ଼ି ଯେତେବେଳେ ଗୋଲ୍ଡ ମେଡାଲ୍ (ସ୍ୱର୍ଣ୍ଣ ପଦକ) ଜିତିଲେ, ସେତେବେଳେ ତାଙ୍କର ଆଶୀର୍ବାଦ ନିଶ୍ଚିତ ଭାବେ ମିଳିଥିବ। କାରଣ କେନାନ୍ ଚେନାଇଙ୍କ ସହ ତାଙ୍କର ଅତ୍ୟନ୍ତ ନିବିଡ଼ ସମ୍ପର୍କ ରହିଛି। ମଜାଦାର କଥା ଦେଖନ୍ତୁ, ଯେତେବେଳେ ଏହି ଯୋଡ଼ି ସ୍ୱର୍ଣ୍ଣପଦକ ଉପରେ ଲକ୍ଷ୍ୟ ସାଧୁଥିଲେ, ସେତେବେଳେ ରାଜା ସାହେବଙ୍କ ଝିଅ ମଧ୍ୟ ଶୁଟିଂ ରେଞ୍ଜ୍ରେ ଉପସ୍ଥିତ ଥିଲେ।
ଶ୍ୱଶୁରଙ୍କ ପରେ ଜ୍ୱାଇଁ ଜିତିଲେ ମେଡାଲ୍
ପ୍ରତ୍ୟେକ ମେଡାଲ୍ ପଛରେ ନିଜର ଏକ କାହାଣୀ ଥାଏ, ତା’ ସହ ଏକ ଆବେଗପୂର୍ଣ୍ଣ ସମ୍ପର୍କ ଏବଂ ପ୍ରେରଣା ଥାଏ। ନୀରୁ ଢାଣ୍ଡା ଏବଂ କେନାନ୍ ଚେନାଇଙ୍କ ଭାରତୀୟ ଯୋଡ଼ି ବୁଧବାର ଦିନ ଏସିଆନ୍ ଗେମ୍ସରେ ଟ୍ରାପ୍ ମିକ୍ସଡ୍ ଟିମ୍ରେ ସ୍ୱର୍ଣ୍ଣ ପଦକ ଜିତିବା ପଛରେ ମଧ୍ୟ ଏପରି ଏକ କାହାଣୀ, ସମ୍ପର୍କ ଏବଂ ଭାବନା ରହିଛି, ଯାହା ଜାଣିବା ପରେ କିଛି ସମୟ ପାଇଁ ଆପଣ ମଧ୍ୟ ଭାବବିହ୍ୱଳ ହୋଇଯିବେ।
ମିକ୍ସଡ୍ ଡବଲ୍ସ ଟ୍ରାପ୍ର ମେଡାଲ୍ ସେରିମୋନିରେ ଯେତେବେଳେ ଜାତୀୟ ସଙ୍ଗୀତ ବାଜିଲା ଏବଂ ତ୍ରିରଙ୍ଗା ଆକାଶ ଆଡ଼କୁ ଗଲା, ସେତେବେଳେ ରେଞ୍ଜ୍ରେ ଉପସ୍ଥିତ ଜଣେ ବ୍ୟକ୍ତିତ୍ୱଙ୍କ ଆଖି ଭରି ଆସିଥିଲା ଏବଂ ସେ ନିଜ ଆବେଗକୁ ସମ୍ଭାଳିବାକୁ ଚେଷ୍ଟା କରୁଥିଲେ। ସେ ଆଉ କେହି ନୁହଁନ୍ତି, ରାଜା ରଣଧୀର ସିଂହଙ୍କ ଝିଅ ତଥା କେନାନ୍ ଚେନାଇଙ୍କ ସ୍ତ୍ରୀ ରିଆ କୁମାର ଥିଲେ। ବର୍ଷ ବର୍ଷ ପୂର୍ବରୁ ରିଆ କୁମାର ନିଜ ବାପାଙ୍କୁ ମେଡାଲ୍ ଜିତିବାର ଦେଖିନଥିବେ, କିନ୍ତୁ ସେହି ସ୍ୱପ୍ନକୁ ଆଜି ସେ ନିଶ୍ଚିତ ଭାବେ ଜୀବନ୍ତ ଅନୁଭବ କରିଥିବେ ଯେତେବେଳେ ତାଙ୍କ ସ୍ୱାମୀ ସ୍ୱର୍ଣ୍ଣପଦକ ଜିତିତିଲେ। ଏହା ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ମୁହୂର୍ତ୍ତ ଥିଲା।
ବାପାଙ୍କ ବନ୍ଧୁକ କଲା କାମ
କେନାନ୍ ପ୍ରକାଶ କରିଛନ୍ତି ଯେ, "ଯେଉଁ ବନ୍ଧୁକର ନଳୀରୁ ମୁଁ ଆଜି ସ୍ୱର୍ଣ୍ଣ ପଦକ ଜିତିଲି, ତାହା ମୋ ବାପାଙ୍କର। ମୁଁ ଏହାକୁ ତାଙ୍କ ପାଖରୁ ଚୋରି କରିଥିଲି (ହସି ହସି) ଏବଂ ମୁଁ ଖୁସି ଯେ ଏହା ମୋ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି। ମୁଁ ଚାହୁଁଛି ଯେ ସେ ମୋତେ ଏହା ଫେରାଇବାକୁ ନକୁହନ୍ତୁ। ସେ ଦୁଇଥରର ଜାତୀୟ ଚାମ୍ପିୟନ୍ ରହିସାରିଛନ୍ତି ଏବଂ ଏବେ ସିନିୟର୍ ବର୍ଗରେ ପ୍ରତିଯୋଗିତା କରନ୍ତି। ଏହି ନଳୀଟି, ମୋତେ ଲାଗୁଛି ସେ ପ୍ରାୟ ୩୦ ବର୍ଷ ପୂର୍ବରୁ କିଣିଥିଲେ।"
କେନାନ୍ ଦେଖାଇଲେ କମାଲ୍
କେନାନ୍ ଦୁଇ ଭାରତୀୟ ଶୁଟର୍ଙ୍କ ମଧ୍ୟରେ ଅଧିକ ଭଲ ପ୍ରଦର୍ଶନ କରିଥିଲେ, ସେ ୭୩ ସ୍କୋର୍ କରିଥିବା ବେଳେ ନୀରୁ ୬୩ ସ୍କୋର୍ କରିଥିଲେ। କେନାନ୍ ଲଗାତାର ସଠିକ୍ ନିଶାଣ ସହ ଫାଇନାଲ୍ରେ ନିଜର ଭଲ ପ୍ରଦର୍ଶନ ଜାରି ରଖିଥିଲେ, ଯେଉଁଠାରେ କି ନୀରୁ ମଧ୍ୟ ପ୍ରାରମ୍ଭିକ ଧକ୍କା ପରେ ଦୃଢ଼ତା ସହ ପ୍ରତ୍ୟାବର୍ତ୍ତନ କରିଥିଲେ। କେନାନ୍— ଯାହାଙ୍କ ବାପା ଡେରିୟସ୍ ମଧ୍ୟ ଜଣେ ଜାତୀୟ ସ୍ତରର ଶଟ୍ଗନ୍ ଶୁଟର୍ ଥିଲେ, ନିଜର ଏବଂ ନୀରୁଙ୍କ ଯୋଡ଼ିକୁ ଏକ ଭାଗ୍ୟଶାଳୀ ଯୋଡ଼ି ବୋଲି ଅଭିହିତ କରିଛନ୍ତି। ସେମାନେ ଏହି ବର୍ଷ ପୂର୍ବରୁ ବିଶ୍ୱକପ୍ରେ ତାମ୍ର ପଦକ ଜିତିଥିଲେ। ସେ କହିଛନ୍ତି, "ଆମେ ଏକ ମିଶ୍ରିତ ଟିମ୍ ଭାବେ ଏକାଠି ରହିବାକୁ ଆଶା କରୁଛୁ, କିନ୍ତୁ ଏହା ସବୁ ଫେଡେରେସନ୍ ଉପରେ ନିର୍ଭର କରେ।"