ନୂଆଦିଲ୍ଲୀ: ଜାପାନର ଆଇଚୀ-ନାଗୋୟା ସହରରେ ଖେଳା ଯାଉଥିବା ଏସୀୟ କ୍ରୀଡ଼ାରେ ସୋମବାର ଭାରତ ପାଇଁ ବେଶ ଶୁଭଙ୍କର ରହିଛି । ଆଜି ଭାରତୀୟ କ୍ରୀଡ଼ାବିତ ମାନେ ପଦକ ବର୍ଷା କରିଛନ୍ତି ।
ସୋମବାର ଦୌଡ଼କୁଦ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଉଚ୍ଚକୋଟିର ପ୍ରଦର୍ଶନ କରିଛନ୍ତି । ବିଥ୍ୟା ରାମରାଜ୍ ଦୌଡ଼ ରାଣୀ ପି.ଟି. ଉଷାଙ୍କ ଭାରତୀୟ ଆଥଲେଟିକ୍ସର ଏକ ଦୀର୍ଘ ୪୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ସେ ମହିଳା ୪୦୦ ମିଟର ହର୍ଡଲ୍ସ (ବାଧା ଦୌଡ଼) ପ୍ରତିଯୋଗିତାରେ ରାମରାଜ୍ କାଂସ୍ୟ ପଦକ ଜିତିଛନ୍ତି । ଗୁଲବୀର ସିଂହ ନିଜର ଏସୀୟ କ୍ରୀଡ଼ା ପଦକ ତାଲିକାରେ ଆଉ ଏକ ପଦକ ଯୋଡ଼ିଥିଲେ । ସେ ପୁରୁଷ ୧୫୦୦ ମିଟର ଦୌଡ଼ରେ ୩ ମିନିଟ୍ ୩୬.୭୨ ସେକେଣ୍ଡରେ ସମୟ ସହ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ କରିଛନ୍ତି। ସେ ପୂର୍ବରୁ ୧୦,୦୦୦ ମିଟର ଦୌଡ଼ରେ ମଧ୍ୟ ରୌପ୍ୟ ପଦକ ଜିତିସାରିଥିଲେ।
ପାରୁଲ ଚୌଧୁରୀ ୩୦୦୦ ମିଟର ଷ୍ଟିପଲଚେଜ୍ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ୯ ମିନିଟ୍ ୦୮.୬୭ ସେକେଣ୍ଡର ନିଜର ସର୍ବୋତ୍ତମ ସମୟ ସହିତ ଏହି ବ୍ରୋଞ୍ଜ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି। ସର୍ବେଶ କୁଶାରେ ଉଚ୍ଚ ଡିଆଁ ବା ହାଇ ଜମ୍ପ୍ରେ ରୌପ୍ୟ ପଦକ ଜିତିଛନ୍ତି ।
ଜାଭଲିନ୍ ଥ୍ରୋରେ ଯୁଗତ ପଦକ ଆସିଛି । ଯଶବୀର ସିଂହ ୮୫.୭୨ ମିଟରର ନିଜର ସର୍ବୋତ୍ତମ ପ୍ରଦର୍ଶନ ସହ ରୌପ୍ୟ ପଦକ ଜିତିଥିବା ବେଳେ ରୋହିତ ଯାଦବ ୮୪.୩୫ ମିଟର ପ୍ରଦର୍ଶନ ସହିତ କାଂସ୍ୟ ପଦକ ହାସଲ କରିଛନ୍ତି।
ଇଶା ସିଂ ବନ୍ଧୁକ ଚାଳନାରେ ରୌପ୍ୟ ପଦକ ହାସଲ କରିଛନ୍ତି ।
ସେପଟେ ବକ୍ସିଂରେ କ୍ୱାଟର୍ ଫାଇନାଲରେ କପିଲ ଫୋଖରିଆ ଦକ୍ଷିଣ କୋରିଆକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଏହା ସହିତ ଭାରତ ପାଇଁ ଏକ ପଦକ ସୁନିଶ୍ଚିତ କରିଛନ୍ତି ।
ଆଜି ଭାରତ ଖାତାକୁ ସର୍ବମୋଟ ୪୫ଟି ପଦକ ଆସିଛି । ଯେଉଁଥିରେ ୪ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଓ ୨୧ଟି କାଂସ୍ୟ ପଦକ ସାମିଲ ରହିଛି । ଏହା ଭାରତ ଏବେବି ଶ୍ରେଷ୍ଠ ୧୦ ତାଲିକାରେ ନିଜର ସ୍ଥାନ ଅକ୍ତିଆର କରିବାରେ ବଞ୍ଚିତ ରହିଛି । ଭାରତ ସ୍ଥିତି ତାଲିକାରେ ଦ୍ୱାଦଶ ସ୍ଥାନରେ ରହିଛି ।