ପୁରୀ : ବିଜେପି ସାଂସଦ ସମ୍ୱିତ ପାତ୍ର ସ୍କୁଲର ଛୋଟ ଛୋଟ ପିଲାମାନଙ୍କ ସହ ନାଚୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ପୁରୀ ଜିଲ୍ଲା ପିପିଲିର ରୂପାଦେଇପୁର ଅଙ୍ଗନବାଡ଼ି କେନ୍ଦ୍ରରେ ଆୟୋଜିତ 'ଅଙ୍ଗନ କା ଉତ୍ସବ'ରେ ଯୋଗଦେବା ଅବସରରେ ଡ. ସମ୍ୱିତ ପାତ୍ର ସ୍କୁଲର କୋମଳମତି ଶିଶୁମାନଙ୍କ ଗହଣରେ ସମୟ ବିତାଇବା ସହ ସେମାନଙ୍କ ଉତ୍ସାହ ବଢ଼ାଇବା ପାଇଁ ସେମାନଙ୍କ ସହ ନୃତ୍ୟ କରିଥିଲେ ।
ଏହି ଖୁସିର ମୂହୂର୍ତ୍ତକୁ ସାଂସଦ ନିଜର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ Dr. Sambit Patra - YouTube ରେ "Dancing with little stars, sharing endless smiles!" (ଛୋଟ ତାରାମାନଙ୍କ ସହ ନାଚ ଓ ଅସରନ୍ତି ହସ) ଶୀର୍ଷକ ଦେଇ ଏହି ମନୋରମ ମୁହୂର୍ତ୍ତର ଭିଡିଓ ସେୟାର କରିଛନ୍ତି ।
ଜନସାଧାରଣ ଓ ବିଶେଷ କରି ପିଲାମାନଙ୍କ ସହ ସାଂସଦଙ୍କର ଏଭଳି ସହଜ ଓ ଆତ୍ମୀୟ ବ୍ୟବହାରକୁ ସମସ୍ତେ ବେଶ୍ ପସନ୍ଦ କରୁଛନ୍ତି।
ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପୋଷଣ ମାସ ଅବସରରେ ଶିଶୁମାନଙ୍କ ଜୀବନରେ ପୋଷଣଯୁକ୍ତ ଖାଦ୍ୟର ଗୁରୁତ୍ୱ ଏବଂ ସଚେତନତା ପାଇଁ ଅଙ୍ଗନ କା ଉତ୍ସବ ପାଳନ କରାଯାଉଛି।
ଏହି ଅଙ୍ଗନ କା ଉତ୍ସବ ପାଳନର ଉଦ୍ଦେଶ୍ୟ ହେଉଛି ପୋଷଣ ସଚେତନତା ।ଶିଶୁମାନଙ୍କ ଜୀବନରେ ପୋଷଣଯୁକ୍ତ ଓ ସନ୍ତୁଳିତ ଖାଦ୍ୟର ଗୁରୁତ୍ୱକୁ ସୁଦୃଢ଼ କରିବା। ରାଜ୍ୟର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଏହି ଉତ୍ସବ ମହାସମାରୋହରେ ଆୟୋଜିତ ହେଉଛି।