ଭୁବନେଶ୍ୱର: ଓଡ଼ିଶାରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ପରିଚାଳିତ ଦୁଇଟି କୋଇଲା ଖଣିରେ ପରିବେଶ ଅନୁମୋଦନ (Environmental Clearance) ସର୍ତ୍ତ ଉଲ୍ଲଂଘନ ନେଇ ଆପତ୍ତି ଉଠାଇଛି ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (CAG)। ଏହି ଉଲ୍ଲଂଘନରେ ପ୍ରାୟ ୧.୧୮ କୋଟି ଟନ୍ କୋଇଲା ଅଧିକ କିମ୍ବା ଅନୁମୋଦନ ବିନା ଉତ୍ପାଦନ ହୋଇଥିବା ଅଡିଟ୍ରେ ଦର୍ଶାଯାଇଛି।
ମାର୍ଚ୍ଚ ୨୦୨୪ରେ ଶେଷ ହୋଇଥିବା ବର୍ଷ ପାଇଁ CAGର କମ୍ପ୍ଲାଏନ୍ସ ଅଡିଟ୍ରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ଉଲ୍ଲଂଘନ ଯୋଗୁଁ Mines and Minerals (Development and Regulation) Act, 1957 ଅଧୀନରେ ପ୍ରାୟ ୯୭୫.୫୭ କୋଟି ଟଙ୍କା ଆଦାୟ ହୋଇପାରେ ବୋଲି CAG ଦର୍ଶାଇଛି।
ଅଡିଟ୍ ଅନୁସାରେ, ତାଳଚେରର କଳିଙ୍ଗା ଓପନ୍ କାଷ୍ଟ ପ୍ରୋଜେକ୍ଟକୁ ଦିଆଯାଇଥିବା ପରିବେଶ ଅନୁମୋଦନ ୨୦୨୧ ଅକ୍ଟୋବର ୨୩ରେ ସମାପ୍ତ ହୋଇଥିଲା। କୋଭିଡ୍ ସମୟରେ ମିଳିଥିବା ଅବଧି ବୃଦ୍ଧିକୁ ହିସାବରେ ନେବା ପରେ ମଧ୍ୟ ECର ଅବଧି ଶେଷ ହୋଇଥିଲା। ତଥାପି ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଖଣିରୁ ଉତ୍ପାଦନ ଜାରି ରହିଥିଲା। ଏହି ସମୟରେ ପ୍ରାୟ ୧.୧୫ କୋଟି ଟନ୍ କୋଇଲା ଉତ୍ତୋଳନ ହୋଇଥିବା ଏବଂ ଏହାର ମୂଲ୍ୟ ୯୫୬.୫୬ କୋଟି ଟଙ୍କା ବୋଲି ଅଡିଟ୍ରେ ଆକଳନ କରାଯାଇଛି।
ସେହିପରି ରାଉରକେଲାର କୁଲ୍ଡା ଓପନ୍ କାଷ୍ଟ ପ୍ରୋଜେକ୍ଟରେ ମଧ୍ୟ ଅନୁମୋଦିତ ସୀମାଠାରୁ ଅଧିକ ଉତ୍ପାଦନ ହୋଇଥିବା CAG ଦର୍ଶାଇଛି। ୨୦୨୨ ମେ’ରେ ବାର୍ଷିକ EC ସୀମା ୨୧ ନିୟୁତ ଟନ୍କୁ ବୃଦ୍ଧି ପାଇଥିଲେ ମଧ୍ୟ ୨୦୨୨-୨୩ ପାଇଁ ପ୍ରୋ-ରାଟା ଆଧାରରେ ଅନୁମୋଦିତ ଉତ୍ପାଦନ ୨୦.୭୭ ନିୟୁତ ଟନ୍ ଥିଲା। କିନ୍ତୁ ଖଣିରୁ ୨୧ ନିୟୁତ ଟନ୍ ଉତ୍ପାଦନ ହୋଇଥିଲା। ଅର୍ଥାତ୍ ପ୍ରାୟ ୨.୩ ଲକ୍ଷ ଟନ୍ ଅଧିକ କୋଇଲା ଉତ୍ପାଦନ ହୋଇଥିବା ବେଳେ ଏହାର ମୂଲ୍ୟ ୧୯.୦୨ କୋଟି ଟଙ୍କା ବୋଲି ଅଡିଟ୍ରେ ଦର୍ଶାଯାଇଛି। ଏଥିସହ ପରିବେଶ ଅନୁମୋଦନର ବୈଧତା ଓ ଉତ୍ପାଦନ ସୀମା ଯାଞ୍ଚରେ ଖଣି କର୍ତ୍ତୃପକ୍ଷଙ୍କ ଯାଞ୍ଚ ବ୍ୟବସ୍ଥା ପର୍ଯ୍ୟାପ୍ତ ନଥିବା ନେଇ ମଧ୍ୟ CAG ଆପତ୍ତି ଉଠାଇଛି।