ଭୁବନେଶ୍ୱର: ମିନି ଟ୍ରକରେ ବିନା ଅନୁମତିରେ ଘରୋଇ ଗ୍ୟାସ ସିଲିଣ୍ଡର ପରିବହନ ଅଭିଯୋଗ। ଖବର ପାଇ ଚଢ଼ାଉ କରିଛି ଯୋଗାଣ ବିଭାଗ। ଚଢ଼ାଉ ବେଳେ ପାହାଳ ଥାନା ଅଞ୍ଚଳରୁ ଗ୍ୟାସ ସିଲିଣ୍ଡର ବୋଝେଇ ଦୁଇଟି ମିନି ଟ୍ରକକୁ ଜବତ କରିଛନ୍ତି ବିଭାଗୀୟ ଅଧିକାରୀ। ଜବତ ଗାଡ଼ି ଦୁଇଟିକୁ ପାହାଳ ଥାନାରେ ରଖାଯାଇଛି।
ସୂଚନା ଅନୁଯାୟୀ, ଆବଶ୍ୟକୀୟ ଲାଇସେନ୍ସ ନଥାଇ ଏବଂ ଅନୁମୋଦିତ ଡିଷ୍ଟ୍ରିବ୍ୟୁଟରଙ୍କ ଅନୁମତି ବିନା ଘରୋଇ ଗ୍ୟାସ ସିଲିଣ୍ଡର ପରିବହନ କରାଯାଉଥିବା ନେଇ ଯୋଗାଣ ବିଭାଗକୁ ସୂଚନା ମିଳିଥିଲା। ଏହାପରେ ବିଭାଗୀୟ ଅଧିକାରୀମାନେ ପାହାଳ ଅଞ୍ଚଳରେ ଚଢ଼ାଉ କରିଥିଲେ।
ଚଢ଼ାଉ ସମୟରେ ଦୁଇଟି ମିନି ଟ୍ରକରେ ଘରୋଇ ଗ୍ୟାସ ସିଲିଣ୍ଡର ଥିବା ଦେଖିବାକୁ ମିଳିଥିଲା। ଏହାପରେ ଅଧିକାରୀମାନେ ଗାଡ଼ି ଦୁଇଟିକୁ ଜବତ କରି ପାହାଳ ଥାନାରେ ଅଟକ ରଖିଛନ୍ତି।
ତେବେ ଏହି ଗ୍ୟାସ ସିଲିଣ୍ଡର ପରିବହନରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଦୀର୍ଘଦିନ ଧରି ବିନା ଅନୁମତିରେ ଏଭଳି ଚାଲାଣ ହେଉଥିଲା କି ନାହିଁ, ସେନେଇ ଯାଞ୍ଚ ଆରମ୍ଭ ହୋଇଛି। ଯୋଗାଣ ବିଭାଗର ତଦନ୍ତ ଓ ଯାଞ୍ଚ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ।