ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନରେ ସମତା ଏକ୍ସପ୍ରେସ୍ ଟ୍ରେନରୁ ୩୧ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଚାଲାଣରେ ସମ୍ପୃକ୍ତ ୬ ଜଣ ମହିଳାଙ୍କୁ ଜିଆର୍ପି ପୋଲିସ ଗିରଫ କରିଛି । ଯେଉଁଥିରେ ଦୁଇ ଜଣ ଅଣଓଡ଼ିଆ ଏବଂ ଚାରି ଜଣ ଓଡ଼ିଆ ସାମିଲ ଅଛନ୍ତି । ଏହି ଘଟଣାକୁ ନେଇ ଟିଟିଲାଗଡ଼ ରେଳ ଷ୍ଟେସନରେ ଚର୍ଚ୍ଚା ଜୋର ଧରିଛି।
ଟିଟିଲାଗଡ଼ ଜିଆର୍ପି ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ ସମତା ଏକ୍ସପ୍ରେସ୍ର ବିଭିନ୍ନ ବଗିରେ ଯାଞ୍ଚ କରୁଥିଲା। ଏହି ସମୟରେ କିଛି ମହିଳା ସନ୍ଦିଗ୍ଧ ଭାବେ ଯାତ୍ରା କରୁଥିବା ପୁଲିସ ନଜରକୁ ଆସିଥିଲେ। ପୋଲିସ ସେମାନଙ୍କୁ ପଚରାଉଚରା କରିବା ସହ ସେମାନଙ୍କ ପାଖରେ ଥିବା ବ୍ୟାଗଗୁଡ଼ିକ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ବ୍ୟାଗ ଭିତରୁ ବିପୁଳ ପରିମାଣରେ ଗଞ୍ଜେଇ ମିଳିଥିବା ଜଣାପଡ଼ିଛି । ପୋଲିସ ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୬ ଜଣ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳାମାନେ ହେଲେ ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା କୁଆଁର ଗ୍ରାମର ସାରଙ୍ଗା ଦୀପଙ୍କ ପତ୍ନୀ ପୁଷ୍ପା ଦୀପ, ଧନସିଂହ ଦୀପଙ୍କ ଝିଅ ଭଗବତୀ ଦୀପ, କଳାହାଣ୍ଡି ଜିଲ୍ଲା ଏମ୍,ରାମପୁରର କର୍ଲାମୁଣ୍ଡା ଗ୍ରାମର ତ୍ରିନାଥ ବାଗଙ୍କ ଝିଅ ଅନୁସାୟା ବାଗ, ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବରପାଲିର ଅନିଲ ଲୁହାଙ୍କ ପତ୍ନୀ ଅଞ୍ଜଳି ଲୁହା ଦକ୍ଷିଣ ଦିଲ୍ଲୀ ବାବୁ ପାର୍କ ଅଞ୍ଚଳର ରିଙ୍କୁ ସିଂଙ୍କ ପତ୍ନୀ ରେନୁ ସିଂ ଏବଂ ଲଜପତନଗର ଜୋସେଫ ମୁର୍ମୁଙ୍କ ଝିଅ ଅନୀତା ମୁର୍ମୁ ।
ଜବତ ଗଞ୍ଜେଇର ଓଜନ ୩୧ କେଜି ୫୦୦ ଗ୍ରାମ ବୋଲି ପୁଲିସ ପକ୍ଷରୁ ଜଣାପଡ଼ିଛି। ଏହି ଗଞ୍ଜେଇ କେଉଁଠାରୁ ଅଣାଯାଉଥିଲା ଏବଂ କେଉଁଠାକୁ ନିଆଯାଉଥିଲା, ଏହା ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ଜିଆର୍ପି ପୁଲିସ ଅଧିକ ତଦନ୍ତ ଜାରି ରଖିଛି।