ନୂଆଦିଲ୍ଲୀ : ବର୍ଷ ବର୍ଷ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେଉଛି।ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦକୁ ନେଇ ସମାଧାନର ବାଟ ଫିଟିବାର ଆଶା ଉଜ୍ଜ୍ୱଳ ହୋଇଛି।ବୈଠକରେ ସାମିଲ ହେବେ ଭଭୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ଯ ସ୍ଥାନୀୟ ଅଧିକାରୀମାନେ।
ଆପୋଷ ବୁଝାମଣା ଏବଂ ସହମତି ଜରିଆରେ ଜଳ ଆବଣ୍ଟନ ସମସ୍ୟାର ସ୍ଥାୟୀ ଓ ଶାନ୍ତିପୂର୍ଣ୍ଣ ସମାଧାନ ବାହାର କରିବା ନେଇ ଏହି ବୈଠକ ଡକାଯାଇଅଛି। ଦୀର୍ଘ ଦିନର ମତଭେଦ ଦୂର ହୋଇ ଉଭୟ ରାଜ୍ୟ ମଧ୍ୟରେ ସକରାତ୍ମକ ନିଷ୍ପତ୍ତି ଆସିବ ବୋଲି ବଡ଼ ଆଶା ସଞ୍ଚାର ହୋଇଛି।
ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ୨୦୧୬ ରୁ ଚାଲିଛି ।ମହାନଦୀ କେବଳ ଏକ ନଦୀ ନୁହେଁ ଏହା ଓଡ଼ିଶାର ଜୀବନ ରେଖା ଅଟେ । କୃଷି, ପାନୀୟ ଜଳ, ଶିଳ୍ପ, ଜୀବନଜୀବିକା ସହ ଜଡ଼ିତ ଏହି ନଦୀର ଜଳ ବ୍ୟବହାରକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଲାଗିରହିଛି । ଛତିଶଗଡ଼ର ଉପରମୁଣ୍ଡରେ ବ୍ୟାରେଜ୍ ଓ ଜଳ ପ୍ରକଳ୍ପକୁ ନେଇ ଓଡ଼ିଶା ଆପତ୍ତି ଉଠାଇଥିବା ବେଳେ, ଛତିଶଗଡ଼ ନିଜ ରାଜ୍ୟର ଜଳ ବ୍ୟବହାର ଅଧିକାର ଉପରେ ଜୋର ଦେଇଆସିଛି । ଏହାକୁ ନେଇ ଆଇନଗତ ପ୍ରକ୍ରିୟା ଓ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ର ପ୍ରକ୍ରିୟା ମଧ୍ୟ ଚାଲିଛି।
କେନ୍ଦ୍ରୀୟ ଜଳ ଆୟୋଗ ଏହା ଉପରେ କାମ କରୁଛି ଏବଂ ଟ୍ରିବ୍ୟୁନାଲକୁ ବିବରଣୀ ଦାଖଲ କରିଛି । ଓଡ଼ିଶା ଛତିଶଗଡ଼ର ଉପରି ଭାଗରେ ନିର୍ମିତ ବ୍ୟାରେଜ୍ ଓ ପ୍ରକଳ୍ପଗୁଡ଼ିକ ଯୋଗୁଁ ନିମ୍ନ ଭାଗ ଓଡ଼ିଶାରେ ଜଳ ପ୍ରବାହ ପ୍ରଭାବିତ ହେଉଥିବା ଓଡ଼ିଶା ଅଭିଯୋଗ କରି ଆସୁଛି ।