ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ମହଲରେ ଏକ ବଡ଼ଧରଣର ହଲଚଲ୍ ଦେଖିବାକୁ ମିଳିଛି। ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ତଥା ବରିଷ୍ଠ ଆଇଏଏସ୍ ଅଧିକାରୀ ଆର.ଏସ୍. ଗୋପାଳନ ଚାକିରିରୁ ସ୍ୱେଚ୍ଛାକୃତ ଅବସର (VRS) ପାଇଁ ଆବେଦନ କରିଛନ୍ତି। ମୁଖ୍ୟତଃ ଶାରୀରିକ ଅସୁସ୍ଥତା ଏବଂ କେତେକ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ଚାଞ୍ଚଲ୍ୟକର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ୨୦୦୧ ବ୍ୟାଚ୍ର ଏହି ପ୍ରଶାସନିକ ଅଧିକାରୀ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ତୁଲାଇବା ସହ ଅବକାରୀ ବିଭାଗର ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ସରକାରୀ ନିୟମ ଅନୁଯାୟୀ, ୨୦୨୮ ମସିହା ଜୁନ୍ ମାସରେ ତାଙ୍କର ସ୍ୱାଭାବିକ ଅବସର ସମୟ ଥିଲା। ମାତ୍ର ଚାକିରି ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ବାକିଥାଉ ସେ ହଠାତ୍ ଭିଆରଏସ ପାଇଁ ଆବେଦନ କରିଥିବାରୁ ସମସ୍ତଙ୍କୁ ଚକିତ କରିଛନ୍ତି।
ନିର୍ବାଚନ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା
ଆର.ଏସ୍. ଗୋପାଳନ ଗତ ଦୁଇ ବର୍ଷ ହେବ ଓଡ଼ିଶାର ସିଇଓ ଭାବେ ଅତ୍ୟନ୍ତ ସଫଳତା ଓ ଦକ୍ଷତାର ସହ କାର୍ଯ୍ୟ କରିଆସୁଥିଲେ। ନିକଟରେ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଶେଷ ହୋଇଥିଲା। ଗତ ସେପ୍ଟେମ୍ବର ମାସରେ ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ ପ୍ରାୟ ୨୦ ଲକ୍ଷରୁ ଅଧିକ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦିଆଯିବା ସହ ନୂତନ ଯୋଗ୍ୟ ଭୋଟରଙ୍କୁ ସାମିଲ କରାଯାଇଥିଲା। ଏହାଫଳରେ ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ପ୍ରାୟ ୩.୧୬ କୋଟିରେ ପହଞ୍ଚିଛି।
ରାଜ୍ୟରେ ଏକ ସ୍ୱଚ୍ଛ, ନିରପେକ୍ଷ ଏବଂ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରିବା ଦିଗରେ ତାଙ୍କର କାର୍ଯ୍ୟକାଳ ବେଶ୍ ପ୍ରଶଂସନୀୟ ରହିଥିଲା। ତେବେ ତାଙ୍କର ଏହି ହଠାତ୍ ଅବସର ନିଷ୍ପତ୍ତି ପରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ ଅଧିକାରୀ କିଏ ହେବେ, ସେନେଇ ପ୍ରଶାସନିକ କରିଡରରେ ଆଲୋଚନା ଜୋର ଧରିଛି।