ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ିଶାର ସମସ୍ତ ଗ୍ରାମ ପଞ୍ଚାୟତରେ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହେବ। ଏହି ଗ୍ରାମସଭାକୁ ଅଧିକ ଅର୍ଥପୂର୍ଣ୍ଣ, ଲୋକାଭିମୁଖୀ ଓ ଅଂଶଗ୍ରହଣମୂଳକ କରିବା ପାଇଁ ରାଜ୍ୟର ସମସ୍ତ ସରପଞ୍ଚଙ୍କୁ ଚିଠି ଲେଖିଛନ୍ତି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ।
ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜର ଭାବନାକୁ ଆଧାର କରି ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣରେ ସ୍ଥାନୀୟ ସମସ୍ୟା, ଆବଶ୍ୟକତା, ସମ୍ଭାବନା ଓ ବିକାଶର ପ୍ରାଥମିକତା ଚିହ୍ନଟ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହା ସହ ‘ପିପୁଲ୍ସ ପ୍ଲାନ୍ କ୍ୟାମ୍ପେନ୍ ୨୦୨୬-୨୭’ ମାଧ୍ୟମରେ ଲୋକଙ୍କ ମତାମତ ଓ ଅଂଶଗ୍ରହଣକୁ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତିର ଆଧାର କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ଚଳିତ ବର୍ଷର ସ୍ୱତନ୍ତ୍ର ଗ୍ରାମସଭାର ଅନ୍ୟତମ ପ୍ରମୁଖ ବିଷୟ ଭାବେ ରିଫର୍ମ ଉତ୍ସବ ରହିବ। ଗ୍ରାମସଭାରେ ବିଭିନ୍ନ ସରକାରୀ ଯୋଜନା, ସଂସ୍କାରମୂଳକ ପଦକ୍ଷେପ ଓ ଗ୍ରାମୀଣ ବିକାଶ ସହ ଜଡ଼ିତ ବିଷୟ ଉପରେ ଆଲୋଚନା କରିବା ସହ ଗ୍ରାମବାସୀଙ୍କ ଅଧିକ ସକ୍ରିୟ ଭୂମିକା ସୁନିଶ୍ଚିତ କରିବାକୁ ମନ୍ତ୍ରୀ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି।