ଭୁବନେଶ୍ୱର : ଶରତ ଋତୁର ଆଗମନ ସହିତ ଓଡ଼ିଶାର ବିଭିନ୍ନ ଶକ୍ତିପୀଠରେ ଜଗତଜନନୀ ମା’ ଦୁର୍ଗାଙ୍କର ଶାରଦୀୟ ଷୋଡ଼ଶଦିନାତ୍ମକ ପୂଜା ବା ଷୋଳ ପୂଜା ଆରମ୍ଭ ହେବ। ଆସନ୍ତା ୩ ତାରିଖ ଶନିବାର ମୂଳାଷ୍ଟମୀ। ଏହି ମୂଳାଷ୍ଟମୀ ତିଥିଠାରୁ ଆରମ୍ଭ ହୋଇ ଆଶ୍ୱିନ ଶୁକ୍ଳ ନବମୀ (ମହା ନବମୀ) ପର୍ଯ୍ୟନ୍ତ ଏହି ମହାପୂଜା ୧୬ ଦିନ ଧରି ଚାଲିଥାଏ।
ଏହି ଉପଲକ୍ଷେ ଶନିବାର ଠାରୁ ପୁରୀ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ଆରମ୍ଭ ହେବ ଷୋଡ଼ଶଦିନାତ୍ମକ ପୂଜାର୍ଚ୍ଚନା। ଅନୁଷ୍ଠିତ ହେବ ମା’ଙ୍କର ସହସ୍ର କୁମ୍ଭାଭିଷେକ ନୀତି । ଏହି ଅବସରରେ ବଡ଼ଦେଉଳରେ ପାଳିତ ହେବ ଦୁର୍ଗାମାଧବ ଉପାସନା । ୧୧ ତାରିଖ ରବିବାରଠାରୁ ଦୁର୍ଗା-ମାଧବ ନାରାୟଣୀ ମନ୍ଦିରକୁ ବିଜେ କରିବେ । ଏହାକୁ ଶାକ୍ତ ତଥା ଗୁପ୍ତ ଗୁଣ୍ଡିଚା ମଧ୍ୟ କୁହାଯାଏ । ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ହେଉଛନ୍ତି ମାଧବ । ସର୍ବତ୍ର ଦୁର୍ଗାଙ୍କ ସହିତ ମହାଦେବଙ୍କ ଉପାସନାର ପରମ୍ପରା ରହିଛି । ହେଲେ ଶ୍ରୀକ୍ଷେତ୍ରରେ ମାଧବଙ୍କ ସହିତ ଦୁର୍ଗାଙ୍କ ଉପାସନାର ପ୍ରଚଳନ ରହିଛି । ୨୧ ତାରିଖ ବୁଧବାର ଦଶହରା ପୂଜା ଅନୁଷ୍ଠିତ ହେବ । ଏହି ଷୋଳ ପୂଜା ଅବସରରେ ମହିଳାମାନଙ୍କୁ ମା’ବିମଳାଙ୍କ ମନ୍ଦିର ଭିତରକୁ ଯିବା ମନା ଥାଏ ।
ସେହିପରି କଟକର ପ୍ରସିଦ୍ଧ ମା’ କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀ, ଯାଜପୁରର ମା’ ବିରଜା, ଝଙ୍କଡ଼ର ମା’ ଶାରଳା, ବାଙ୍କୀର ମା’ ଚର୍ଚ୍ଚିକା ଏବଂ କାକଟପୁରର ମା’ ମଙ୍ଗଳାଙ୍କ ପୀଠ ସମେତ ରାଜ୍ୟର ସମସ୍ତ ପ୍ରମୁଖ ଶକ୍ତିପୀଠରେ ଏହି ପାରମ୍ପରିକ ରୀତିନୀତି ଆରମ୍ଭ ହେବ।
ଏହି ୧୬ ଦିନ ବ୍ୟାପୀ ପୂଜା ସମୟରେ ମା’ଙ୍କୁ ପ୍ରତିଦିନ ଭିନ୍ନ ଭିନ୍ନ ସ୍ୱତନ୍ତ୍ର ଆୟୁଧ, ଅଳଙ୍କାର ଓ ଦିବ୍ୟ ବେଶରେ ସଜ୍ଜିତ କରାଯାଏ । ଏହା ସହିତ ପ୍ରତିଦିନ ସୂର୍ଯ୍ୟ ପୂଜା, ଷୋଡ଼ଶ ଉପଚାର ପୂଜା, ସହସ୍ରକୁମ୍ଭାଭିଷେକ, ଚଣ୍ଡୀପାଠ ଏବଂ ମହାଯଜ୍ଞ ଆଦି ଅନୁଷ୍ଠିତ ହୋଇଥାଏ।