ବାଲେଶ୍ୱର: ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳରେ ଏକ ବାଇକ୍ ସୋ’ରୁମ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଠାତ୍ ସୋ’ରୁମ୍ରେ ନିଆଁ ଲାଗିବା ପରେ ଚାହୁଁ ଚାହୁଁ ଏହା ଭୟଙ୍କର ରୂପ ନେଇଥିଲା। ନିଆଁରେ ଜଳିପୋଡ଼ି ଯାଇଛି ଅନେକ ଦାମୀ ମୋଟରସାଇକଲ୍। ଏଥିରେ ୮ଟି ଇଲେକ୍ଟ୍ରିକ୍ ଯାନ (EV) ମଧ୍ୟ ରହିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସହଦେବଖୁଣ୍ଟା ଅଞ୍ଚଳରେ ଥିବା ହିରୋ ମୋଟର୍ସ ସୋ’ରୁମ୍ରେ ଏହି ଅଗ୍ନିକାଣ୍ଡ ଘଟିଛି। ସୋ’ରୁମ୍ର ପ୍ରଥମ ମହଲାରେ ଡିସପ୍ଲେ ପାଇଁ ରଖାଯାଇଥିବା ଗାଡ଼ିଗୁଡ଼ିକ ନିଆଁରେ ପୋଡ଼ି ଯାଇଥିବା ଜଣାପଡ଼ିଛି। ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ ସୋ’ରୁମ୍ ଭିତରୁ ପ୍ରବଳ ଧୂଆଁ ବାହାରିବା ସହ ଅଗ୍ନିଶିଖା ଦେଖାଯାଇଥିଲା।
ଅଗ୍ନିକାଣ୍ଡ ସମୟରେ ସୋ’ରୁମ୍ ବନ୍ଦ ଥିଲା। ତେଣୁ ସେଠାରେ କୌଣସି କର୍ମଚାରୀ ଉପସ୍ଥିତ ନଥିଲେ। ଫଳରେ ଏହି ଘଟଣାରେ କାହାରି ଜୀବନହାନି କିମ୍ବା ଆହତ ହେବାର ସୂଚନା ମିଳିନାହିଁ।
ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୀର୍ଘ ସମୟର ଚେଷ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ। ଅଗ୍ନିକାଣ୍ଡରେ ସୋ’ରୁମ୍ର କେତେ ପରିମାଣର କ୍ଷୟକ୍ଷତି ହୋଇଛି, ତାହାର ଆକଳନ ଜାରି ରହିଛି।