ଭୁବନେଶ୍ୱର: ଚଳିତ ବର୍ଷ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ରାସ୍ତାଘାଟ ଗୁଡ଼ିକ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ରାସ୍ତା ଧୋଇ ହୋଇଯିବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।
ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ନଷ୍ଟ ହୋଇଥିବା ରାସ୍ତାଗୁଡ଼ିକର ତୁରନ୍ତ ମରାମତି କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାସ୍ତାର ସ୍ଥିତି ନେଇ ବିସ୍ତୃତ ଆଲୋଚନା କରାଯାଇଛି। ସେଗୁଡ଼ିକ ମଧ୍ୟରେ ନଖରା-ନିଆଳି ରାସ୍ତା, ଅଡ଼ଶପୁର-ଜଗତସିଂହପୁର ରାସ୍ତା ଏବଂ କଳିଙ୍ଗା ଘାଟି ରାସ୍ତା ସାମିଲ ରହିଛି।
ଏହାଛଡ଼ା କୋରାପୁଟ, ଭଦ୍ରକ, ବାଲେଶ୍ୱର, କଟକ ଟାଉନ୍, ଗଞ୍ଜାମ, ସମ୍ବଲପୁର, କେନ୍ଦୁଝର ଏବଂ ପାରାଦୀପ ସମେତ ବିଭିନ୍ନ ଅଞ୍ଚଳରେ ଭାଙ୍ଗି ପଡ଼ିଥିବା ରାସ୍ତାର ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି। ସାମାଜିକ ଗଣମାଧ୍ୟମରେ କିଛି ସ୍ଥାନର ଖରାପ ରାସ୍ତା ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ସରକାର ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ଯୁଦ୍ଧକାଳୀନ ଭିତ୍ତିରେ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାସ୍ତା ମରାମତି ଏବଂ ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ଓ ଗୁଣବତ୍ତା ବଜାୟ ରଖିବା ପାଇଁ ମନ୍ତ୍ରୀ କିଛି କଡ଼ା ନିୟମ କରିଛନ୍ତି। ସର୍ବୋଚ୍ଚ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀମାନେ ନିଜ ଅଧୀନସ୍ଥ ଅଞ୍ଚଳର ରାସ୍ତା ସ୍ଥିତି ନିୟମିତ ବୁଲି ଦେଖିବେ। ପ୍ରତି ୧୫ ଦିନରେ ଥୋଏ ଥୋଏ ରାସ୍ତାର ଅଗ୍ରଗତି ନେଇ ରିପୋର୍ଟ ପ୍ରଦାନ କରାଯିବ। କାର୍ଯ୍ୟ ଚାଲିଥିବା ସମୟରେ ଯନ୍ତ୍ରୀମାନେ ଉପସ୍ଥିତ ରହି କାମର ମାନ ଯାଞ୍ଚ କରିବେ।
ଯେଉଁ ଠିକା ସଂସ୍ଥାଗୁଡ଼ିକ ନିମ୍ନମାନର କାମ କରିବେ, ସେମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।