ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ମୁସ୍କିଲ ଥମିବାର ନାଁ ନେଉ ନାହିଁ । ନିର୍ବାଚନ ଆୟୋଗରେ ତାଙ୍କ ନିଷ୍ପତ୍ତି ଉପରେ ଉଠୁଥିବା ପ୍ରଶ୍ନ ଯୋଗୁଁ ବିରୋଧୀ ଦଳ ଏବଂ କକରୋଚ ଜନତା ପାର୍ଟି ଇସ୍ତଫା ଦାବି କରିଛନ୍ତି । ଏହା ମଧ୍ୟରେ କେରଳରେ ତାଙ୍କ ଦୁଇ ଦଶନ୍ଧିର ଏକ ପୁରୁଣା ଫାଇଲ୍ ଖୋଲିଛି । କେରଳର ଗୃହ ମନ୍ତ୍ରଣାଳୟ ୨୦୦୬ରେ ୱାର୍କ୍ସ ସେକ୍ରେଟାରୀ ଭାବେ କାମ କରୁଥିବା ଜ୍ଞାନେଶ କୁମାରଙ୍କ ବିରୋଧରେ ଭିଜିଲାନ୍ସ ବ୍ୟୁରୋର ପ୍ରାରମ୍ଭିକ ଯାଞ୍ଚ ଜଡିତ ଫାଇଲ ତଲବ କରିଛି ।
ଉଲ୍ଲେଖନୀୟ ଭିଜିଲାନ୍ସ ଏବଂ ଆଣ୍ଟି କରପ୍ସନ ବ୍ୟୁରୋ ୨୦ ବର୍ଷ ପୂର୍ବେ ଜଣେ ମାଲେସିଆର ସିଭିଲ ଇଞ୍ଜିନିୟରଙ୍କ ଆତ୍ମହତ୍ୟା ପରେ ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରାରମ୍ଭିକ ତଦନ୍ତ କରିଥିଲେ। ତେବେ ବର୍ତ୍ତମାନ କେରଳର ଗୃହ ମନ୍ତ୍ରଣାଳୟ ଲି ସି ବିନଙ୍କ ଆତ୍ମହତ୍ୟା ପରେ ଆରମ୍ଭ ହୋଇଥିବା ଯାଞ୍ଚ ସଂପର୍କିତ ଫାଇଲ ମଗାଇଛି. ୠି ସି ବିନ ପତି-ବେଲର ଚିଫ୍ ପ୍ରୋଜେକ୍ଟ ମ୍ୟାନେଜର ଥିଲେ. ।
ଲି ସି ବିନ କୁଆଲାଲମ୍ପୁରରେ ଆତ୍ମହତ୍ୟା କରିଥିଲେ । ଅଭିଯୋଗ ହୋଇଥିଲା ଯେ, ଅଧିକାରୀମାନେ ବିଲ୍ ପାସ୍ ଉପରେ ରୋକ୍ ଲଗାଇ ଦେଇଥିଲେ । ବିନ ନିଜର ସୁଇସାଇଡ ନୋଟରେ ଜ୍ଞାନେଶ କୁମାରଙ୍କ ନାଁ ମଧ୍ୟ ନେଇଥିଲେ । ସେହି ସମୟର ପରିସ୍ଥିତି ଏବଂ ପୁଲିସ ଅନୁସନ୍ଧାନକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଥିବାବେଳେ, ବର୍ତ୍ତମାନ ଏହି ମାମଲାର ଆଇନଗତ ପ୍ରକ୍ରିୟା ପୁନର୍ଜୀବିତ ହୋଇଛି। ଘଟଣା ସାମ୍ନାକୁ ଆସିବା ପରେ ବିରୋଧୀ ଦଳଗୁଡ଼ିକ ଆକ୍ରମଣାତ୍ମକ ମୁଦ୍ରାରେ ଅଛନ୍ତି।
ଏହି ପୁରୁଣା ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିବା ପରେ ଜ୍ଞାନେଶ କୁମାରଙ୍କ ନିରପେକ୍ଷତା ଏବଂ ସେହି ସମୟର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ସଂଗଠନ ପକ୍ଷରୁ ତାଙ୍କୁ ପଦରୁ ହଟାଇବା ପାଇଁ ଦାବି ଜୋରଦାର କରାଯାଉଛି। ତେବେ ଏହି ସମ୍ପୂର୍ଣ୍ଣ ବିବାଦକୁ ନେଇ ଆଗାମୀ ଦିନରେ ପ୍ରଶାସନିକ ସ୍ତରରେ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।